ସଙ୍କଟରେ ସଂସାର
ସଙ୍କଟରେ ସଂସାର
ପଡିଲା ନଜର ବୃକ୍ଷଟି ଉପରେ
କାନ୍ଦୁଥିଲା କଇଁ କଇଁ
ପଚାରିଲି ତାକୁ ହୋଇ ମୁଁ ବିସ୍ମୟ
ଏ ରୋଦନ କାହା ପାଇଁ ।
କେହି ତ ତୁମର କ୍ଷତି କରିନାହିଁ
ନା ହାଣିଛି ତୁମ ଡାଳ
କେଉଁଥିପାଇଁକି ଝାଉଁଳିଛି ମୁଁହ
କାନ୍ଦୁଛ ହୋଇ ବିକଳ ।
କହିଲା ଦୁଃଖରେ ଭାଈ ଶୁଣ ମୋର
ଏ କାନ୍ଦ ନୁଁହ ମୋ ପାଇଁ
ବର୍ତମାନ ଦେଖି ଅନୁମାନ କରି
ଭବିଷ୍ୟତ ଦେଲି ଚାହିଁ ।
ଜୀବଜଗତ ଓ ବୃକ୍ଷଲତା ଆମେ
ଯେମିତି ଆତ୍ମା ଶରୀର
ଶରୀର ଓ ଆତ୍ମା ଅଲଗା ହେଲେ କି
ରୁହେ ଅସ୍ତିତ୍ୱ କାହାର ।
ଆମ ନିଶ୍ୱାସକୁ ପ୍ରଶ୍ୱାସ ନେଉଛ
ତୁମ ନିଶ୍ୱାସ ଆମର
ଦୁହିଁଙ୍କ ସ୍ଥିତିରେ ଦୁନିଆ ରହିବ
ନୁହେଁ କଥା ଅଗୋଚର ।
ହେଲେ ଏ ମଣିଷ ନିଜ ସ୍ୱାର୍ଥ ପାଇଁ
କାଟି ଚାଲେ ଗଛ ଯେତେ
ଆଗେ ଥିଲା ଯେଉଁ ସବୁଜ ଜଙ୍ଗଲ
ଏବେ ଅଛି ଆଉ କେତେ ?
କାଲି ଥିଲା ଯେଉଁ ବିଶାଳ ବୃକ୍ଷଟି
ଆଜି ନାହିଁ ତାର ଚିହ୍ନ
କେମିତି ସହିବ ସନ୍ତାନ ହୃଦୟ
ଦେଖି ପିତାର ନିଧନ ।
ଆମ ସଂଖ୍ୟା ଯେତେ ଅଧିକ ହୋଇବ
ବୃଷ୍ଟିପାତ ହେବ ଭଲ
ଚାରିଦିଗ ସବୁଜିମାରେ ଭରିବ
ଆକାଶ ହେବ ନିର୍ମଳ ।
ମଣିଷ ସମାଜ ବୃଦ୍ଧି ପାଉଅଛି
ହେଲେ ବୁଦ୍ଧି ଯାଏ କମି
ଆମ ଉପସ୍ଥିତି ତୁମ ପାଇଁ ଭଲ
ନହେଲେ ହେବ ସୁନାମି ।
ସଂସାର ପତନ ହେବାର ଦୃଶ୍ୟକୁ
ମନେ ଯେବେ ଭାବି ଦେଲି
ହୃଦୟର କୋହ ରୋକିପାରିଲିନି
ନଚାହିଁ ବି କାନ୍ଦି ଦେଲି ।
ମଣିଷ ସମାଜ ସବୁଠାରୁ ଶ୍ରେଷ୍ଠ
ଭଗବାନଙ୍କ ସ୍ୱରୂପ
ତୁମେ ହିଁ ଚାହିଁଲେ ବଦଳି ପାରିବ
ପୁଣି ଧରିତ୍ରୀର ରୂପ ।
ତେଣୁ ଅନୁରୋଧ ମଣିଷ ଜାତିକୁ
ବେଳୁ ହୁଅ ସାବଧାନ
ସଂସାରର ଭାଗ୍ୟ ତୁମରି ହାତରେ
ବୃକ୍ଷର ଗୁହାରି ଶୁଣ ।