ମାୟାଧରର ମାୟା
ମାୟାଧରର ମାୟା
ଏକଦା ନାରଦ କରିଲେ ତପସ୍ୟା
ଗଙ୍ଗାକୂଳେ ତପୋବନେ
ଇର୍ଷାଳୁ ହୋଇଲେ ଦେବତା ଦେଖିଣ
ଭୟ ଖେଳିଗଲା ମନେ |
ସଫଳ ହୋଇଲେ ତପ ନାରଦଙ୍କ
ଇନ୍ଦ୍ରଲୋକ ଯଦି ମାଗେ
ଧ୍ୟାନ ଭଗ୍ନ ପାଇଁ ଆସି କାମଦେବ
ବିଫଳ ହୁଅନ୍ତି ଆଗେ |
ନାରଦ ସମ୍ମୁଖେ କହେ କାମଦେବ
ଆପଣ ଜିତିଲେ କାମକୁ
ଶୁଣି ନାରଦଙ୍କ ଆତ୍ମଗର୍ବ ହୁଏ
କହେ ଯାଇ ମହାଦେବଙ୍କୁ |
ମହାଦେବ ଶୁଣି ନାରଦଙ୍କ କଥା
ସ୍ମିତହାସ୍ୟ ଟିକେ ଦେଇ
କହିଲେ ଏ କଥା ବିଷ୍ଣୁଙ୍କ ଆଗରେ
କହିବନି କେବେ ଯାଇ |
ମହାଦେବ କଥା ଶୁଣି ନାରଦର
ଉତ୍କଣ୍ଠା ବଢିଲା ମନେ
ପହଁଞ୍ଚି ବିଷ୍ଣୁଙ୍କୁ କହିଲେ କିପରି
ବିଜୟ କରିଲେ ଧ୍ୟାନେ |
ନାରଦଙ୍କୁ ମାୟା ଗ୍ରାସ କରିନେଲା
ବଢିଗଲା ଅଂହକାର
ଭକ୍ତକୁ ବାଟକୁ ଆଣିବାକୁ ଯାଇ
ମାୟା କଲେ ମାୟାଧର |
ଦିନେ ଏକକାଳେ ଭ୍ରମଣ ସମୟେ
ଦେଖିଲେ ଏକ ନଗର
ପହଁଞ୍ଚି ନାରଦ ଦେଖନ୍ତି ଉତ୍ସବ
ଚାଲିଛି ଅତି ସୁନ୍ଦର |
ନାରଦ ପଚାରି ବୁଝନ୍ତି କଥାକୁ
ସ୍ୱୟଂବର ଏଠି ହେବ
ସେହି ସମୟରେ ରାଜା ଶିଳନିଧି
ନାରଦଙ୍କୁ କଲେ ଠାବ |
କହିଲେ ରାଜନ ଆହେ ମୁନିବର
ଦେଖି ତୃପ୍ତ ହେଲା ମନ
କନ୍ୟାର ହାତକୁ ଦେଖି ଟିକେ କୁହ
କେମିତି କଟିବ ଦିନ |
ଯେମିତି ଛୁଇଁଛି ବିଶ୍ଵମୋହିନୀକୁ
ଶିହରଣ ଶରୀରରେ
ଏମିତି ଖେଳିଲା ସଂସାର କରିବା
ଉଠିଲା କଥା ମନରେ |
ସଂସାରଠୁ ଦୂରେ ରହି ହରି ନାମ
ଜପୁଥିଲା ଯିଏ ଦିନେ
ମୁହୂର୍ତ୍ତକେ ସିଏ ମାୟା ଅଧୀନରେ
ନାରୀ ଖୋଜିହେଲା ମନେ |
ବିଷ୍ଣୁଙ୍କ ପାଖରେ ନାରଦ କୁହନ୍ତି
ଆହେ ପ୍ରଭୂ ନାରାୟଣ
ସନ୍ୟାସୀ ଜୀବନ କଟିଲା ଏଥର
ସଂସାର କରିବା ମନ |
ଦିଅ ମୋତେ ତୁମେ ତୁମ ପରି ରୂପ
ସ୍ୱୟଂବରକୁ ମୁଁ ଯିବି
ଏମିତି ରୂପକୁ ଦେଖିଲେ କିଏ ବା
କେବେ ପସନ୍ଦ ନୋହିବି |
ନାରଦଙ୍କୁ ଦେଲେ ଏମିତି ରୂପଟେ
ସିଏ ତ ବଡ଼ ମାୟାବୀ
ନାରଦ କହୁଛି କେମିତି ଲାଗୁଛି
ତୁମ ଅପରୂପ ଛବି |
ଏତିକି କହିଣ ନାରଦ ଚାଲନ୍ତି
ମନରେ ଉଲ୍ଲାସ ନେଇ
ଚଞ୍ଚଳ ପାଦରେ ସୋୟଂବରେ ଆଗ
ବସନ୍ତି ନିକଟେ ଯାଇ |
ମନେମନେ ଭାବି ଖୁସି ହୁଅନ୍ତି ଯେ
ମତେ ହିଁ ବାଛିବେ ବର
ଯେତେକ କୁମାର ଏଠାରେ ଅଛନ୍ତି
ମୋଠାରୁ କିଏ ସୁନ୍ଦର |
ଦୁଇ ଶିବଗଣ ପାଖେ ବସିଥିଲେ
ନାରଦ ତାଙ୍କୁ କୁହନ୍ତି
ମୋଠାରୁ ସୁନ୍ଦର ରାଜକୁମାର ବା
କୁହ ଏଠି କେ ଅଛନ୍ତି |
ସଭିଏଁ ହସନ୍ତି ନାରଦଙ୍କୁ ଚାହିଁ
ନାରଦ ବିସ୍ମିତ ହେଲେ
କହିଲେ ଦେଖ ହେ ଦରପଣ ଆଗେ
ତାପରେ କହିବ ଭଲେ |
ସେହି ସମୟରେ ରାଜକୁମାରୀଙ୍କୁ
ମିଳିଲା ସାଥି ସଭାରେ
ଆଉକା ଗଳାରେ ଫୁଲମାଳ ଦେଖି
ନାରଦ ଗଲେ କ୍ରୋଧରେ |
ବେଗେ ଯାଇ ଜଳେ ମୁଁହ ଦେଖନ୍ତିତ
ଚମକି ପଡିଲେ ସତେ
କେଉଁ ଦୋଷ ପାଇଁ ପ୍ରଭୂ ନାରାୟଣ
ବାନର କରିଲେ ମତେ |
କ୍ରୋଧରେ ଚାଲିଲେ ନାରାୟଣ ପାସେ
ବାଟରେ ତାଙ୍କୁ ଦେଖନ୍ତି
ନାରାୟଣ ଆଉ ଲକ୍ଷ୍ମୀଙ୍କ ସାଥିରେ
ବିଶ୍ୱମୋହିନୀ ଥାଆନ୍ତି |
ପ୍ରଭୂଙ୍କୁ ଦେଖିଣ ନାରଦ କୁହନ୍ତି
ଏମିତି କାହିଁକି କଲେ
ସଂସାର କରିବା ଆଗରୁ ମୋଠାରୁ
ସବୁ ସୁଖ ନେଇଗଲେ |
ଯେମିତି ମୋଠାରୁ ଛଡେଇ ନେଲ ହେ
ପତ୍ନୀ ସୁଖ ପାଇବାର
ଅଭିଶାପ ଦେଲି ଆପଣଙ୍କ ପତ୍ନୀ
ହୋଇଯିବ ଦିନେ ଦୂର |
ନାରଦ ଆଶ୍ଚର୍ଯ୍ୟ ହୁଅନ୍ତି ଦେଖିକି
ବିଶ୍ଵମୋହିନୀକୁ ଏଠି
ପ୍ରଭୂଙ୍କ ପାଖକୁ ଆସିଲା କେମିତି
ଯାହାକୁ ଦେଖିଲି ସେଠି |
ନାରଦଙ୍କୁ ଶାନ୍ତ କରିବାକୁ ଯାଇ
କୁହନ୍ତି ପ୍ରଭୂ ବୁଝାଇ
ତୁମ ସାଥେ ଯାହା ଘଟିଲା ଘଟଣା
ଲୀଳା ଥିଲା ଜାଣ ସେଇ |
ତୁମ ଜନ୍ମ ନୁଁହ ସଂସାର କରିବା
ମାୟାର ଅଧୀନ ହେବା
ସଂସାର ଲୋକଙ୍କୁ ମାୟା ମୁକ୍ତ କରି
ପ୍ରଭୂ ମାର୍ଗ ଦେଖାଇବା |
ନାରଦ ବୁଝିଲେ ଭୂଲ୍ ଥିଲା ତାଙ୍କ
ମାଗିଲେ କ୍ଷମା ପ୍ରଭୂଙ୍କୁ
ପଥଦିଅ ପ୍ରଭୂ ଫେରେଇ ଆଣିବି
କିପରି ଅଭିଶାପକୁ |
ଏହା ଅଭିଶାପ ନୁହେଁ ଆମ ପାଇଁ
ବିଧିର ବିଧାନ ଏହି
ତ୍ରେତୟା ଯୁଗରେ ରାମ ଅବତାରେ
ଘଟଣା ଘଟିବ ସେହି |