ତରୁଣ କବିର ଆଶା- ୨
ତରୁଣ କବିର ଆଶା- ୨
ଡକ୍ଟର ମାୟାଧର ମାନସିଂହ
ପାଶରେ ଥାଆନ୍ତା ରସ କବିତା,
ଚିର-ଯଉବନ ପ୍ରଣୟ-ଗୀତା
ପ୍ରେୟସୀ ଗାଆନ୍ତା, ଚୂମ୍ବନ୍ତି ମୁଖ
ପୂରନ୍ତା ବୁକ !
ହାଇରେ ତରୁଣ କବିର ଆଶା
ଏଡ଼େ ବିରାଟ ସେ, ପାଏ କି ଭାଷା,
ଆକାଶ ବସୁଧା କେତେ ସେ କରେ
ନିମିଷକରେ
କାହିଁ କଳପନା କାହିଁ ଜୀବନ
ତରୁଣ କବିର ଜଳଇ ମନ,
ଚାରିଆଡୁ ବାଜେ ଦାରୁଣ ବାଧା
କାହିଁ ତା ରାଧା !
ନାହିଁ ରାଧା, ନାହିଁ ବେତସ-ଲୀଳା
ନାହିଁ ପାଶେ ବେଣୀହଲା ଛଇଳା,
ପ୍ରଣୟରେ ମାତି ହେବାକୁ ଗେଲ
କାହିଁ ତା ବେଳ !
ବାଳୁତର ସାଥୀ ନାହିଁ ତା ପାଶେ
ବାଳିକା ସେ ଗଲା ଆନର ଆଶେ,
କାହା ଗଳେ ସୁଖେ ଛନ୍ଦିବ ବାହୁ
କହ ସେ ଆଉ ?
ପ୍ରଣୟୀ ହେବାର ଛାଡ଼ିଛି ଆଶ
କେ ବାଳା ବାନ୍ଧଇ ପ୍ରଣୟ-ପାଶ
କେବଳହିଁ ପ୍ରାଣ-ପୀରତି-ଲଭି
ଗରିବ କବି !
ଗରିବ କବିରେ ସଂସାର ପୀଡ଼େ
କବିତାକୁ ବେଳ ନାହିଁ ଏ ଭିଡ଼େ,
ଫଗୁଣ ଚଳଇ ଚଇତ ଆସେ
କି ଯାଏ ଆସେ !
ପ୍ରଣୟ-କବିତା-ସ୍ବପନ ନାହିଁ
ନିମିଷେ ନିମିଷେ ଗଲେ ଉଭାଇ,
ମଣିଷ ବେଭାରେ ଯାଉଛି ଦ୍ରବି
ତରୁଣ କବି !
ଘୁଞ୍ଚାଇ ନେବାର ଜଗତ ବ୍ୟଥା
ସୁଦୂର ସ୍ବପନ ନିଜର କଥା
ନପାରେ ତୁଳାଇ ଗରିବ କବି
କରୁଣ ଛବି
ମଣିଷ ହୋଇ ତା ଏଡ଼େ ବିଚାର
ଧରାରେ ସରଗ ସୃଜନା ତାର
ଏ କଳପନାକୁ ପାଏ କି ଭାଷା,
ହାଇରେ ତରୁଣ କବିର ଆଶା !
ସମାପ୍ତ