STORYMIRROR

Arjuni charan Behera

Classics Others

3  

Arjuni charan Behera

Classics Others

କୃଷ୍ଣମ୍ ବନ୍ଦେ ଜଗଦ୍ଗୁରୁ

କୃଷ୍ଣମ୍ ବନ୍ଦେ ଜଗଦ୍ଗୁରୁ

2 mins
158

  ସର୍ବ ଦୋଷହାରୀ ଭୁବନ ପାଳକ

      ଗୋପୀଙ୍କ ହୃଦୟ ହାର l

ତୋ ପଦେ ଲାଳସା ଲାଗି ରହୁ ମୋର

         କୃଷ୍ଣ ଘେନ ନମସ୍କାର ll

ଏ ଭଵ ତାରଣ ନଉକା ତୁ ସିନା

            ଭବସିନ୍ଧୁ କର୍ଣ୍ଣଧାର l

ଯଶୋମତିଙ୍କର ନୟନ ପିତୁଳୀ

           ନମସ୍ତେ ହେ ଦୁଗ୍ଧଚୌର ll

ସର୍ବ ପାପ ହର ଭକ୍ତ ଚିତ୍ତ ଚୋର

         ବ୍ରଜେଶ ନନ୍ଦ ନନ୍ଦନ l

ଶିଖି ପୂଛ ଶୋଭା ବାଙ୍କ ଚୁଡ଼ା ବାଙ୍କ

       ସୁମଧୁର ବେଣୁ ସ୍ଵନ ll

କୋଟିଏ କନ୍ଦର୍ପ ଜିଣି ତୋର କାନ୍ତି

       ଅନନ୍ତ ଶୋଭା ଭଣ୍ଡାର l

ବାରବେନି ପୁରେ କୃଷ୍ଣ ଏକା ଶୋଭା

       ନମସ୍ତେ ନଟ ନାଗର ll

ହେ ଗର୍ବ ଗଞ୍ଜନ ହେ କଞ୍ଜ ନୟନ

    ଗୋପୀ ଜନ ମନୋହାରୀ l

ନମଃ ପଦ୍ମନେତ୍ର ମନ୍ଦ ମନ୍ଦ ହାସ

       ବିଶାଳ ଭୁଜ ବିସ୍ତାରି ll

ଅହଂ ପଣ ମୋର ପ୍ରବଳ ହୋଇଲା

      ଯେସନେ ମହେନ୍ଦ୍ର ଗିରି l

ମଦ ମତ୍ତ ପଦ୍ମ ବନ ଦଳି ଦିଅ

      ନମଃ ନମଃ କୃଷ୍ଣ କରୀ ll

କଦମ୍ବ କୁସୁମ କୁଣ୍ଡଳ ମଣ୍ଡିତ ସୁ

         ଚାରୁ ଗଣ୍ଡ ମଣ୍ଡଳ l

ଗୋପିକାବଲ୍ଲଭ ନମେ ତୋ ପୟରେ

        ଦୁର୍ଲଭ ବ୍ରଜ ଦୁଲାଳ ll

ଯଶୋମତି ମାତା ଚିତ୍ତ ବିନୋଦିଆ

       ଗୋପୀଙ୍କ ଆନନ୍ଦ କନ୍ଦ l

ସର୍ବ ସୁଖଦାୟି ହେ ଗୋପୀଜୀବନ

       ନମେ ତୋ ପଦାରବିନ୍ଦ ll

ତୋ ପଦ ପଙ୍କଜ ନିତ୍ୟ ମୋର ଧ୍ୟେୟ

        ସୁନ୍ଦର କୁଞ୍ଚିତ କେଶ l

ନମସ୍ତେ ହେ ନନ୍ଦ ବାଳକ ତୋ ଦିବ୍ୟ

     ଦର୍ଶନେ ମୋ ସଦା ଆଶ ll

ଦର୍ଶନେ ତୋହର ସର୍ବ ପାପ ଖଣ୍ଡେ

      ସର୍ବ ଘଟେ ତୋର ବାସ l

ଗୋପୀଙ୍କ ଜୀବନ ଗୋପର କଲ୍ୟାଣ

         ନମସ୍ତେ ନନ୍ଦ ଲାଳସ ll     

ଭଵ ଭାର ହର ଭଵ କର୍ଣ୍ଣଧାର

        ଯଶୋମତି ହୃଦ ହାର l

ହେ ନନ୍ଦକିଶୋର ମୁନି ଚିତ୍ତଚୋର

      ନମେ ତୋ କଞ୍ଜ ପୟର ll

ଦୁରିତ ନାଶନ ଲୀଳା ବିଳାସନ

       ନବ ଘନ କାନ୍ତି ଶୋଭା l

ଚାତକ ପରାୟେ ଚାହିଁ ରହିଥିବି

        ନନ୍ଦସୁତ ମନ ଲୋଭା ll              

ସର୍ବ ସୁଖ କର ଗୁଣ ନିଧି ବର

      ସୁର ବନ୍ଦ୍ୟ ଗୋପ ସୂତ l

ନୂଆ ନଟବର ହେ ଗୋପ ନାଗର

       ନବୀନ କେଳି ଲମ୍ପଟ ll

ନବଘନ କାନ୍ତି ବିଦ୍ୟୁଭାଲ ଜ୍ୟୋତି

      ନମଃ କୃପା ପାରାବାର l

ସେ ମୂରତି ଦେଖି ଚଳିଲା ମୋ ମତି

        ନମସ୍ତେ ବ୍ରଜ ସୁନ୍ଦର ll                

ବ୍ରଜ ବାଳକଙ୍କ ହୃଦ ମୋଦକାରୀ

         କୁଞ୍ଜବନ ଶୋଭା ପୁଞ୍ଜ l

ନମଇଁ ହେ କୁଞ୍ଜବିହାରୀ ଗୋବିନ୍ଦ

         ତାରା ମଧ୍ୟେ ପୂର୍ଣ୍ଣ ଚନ୍ଦ୍ର ll

ଅକର୍ମ କର୍ମ ଦାୟକ କଳା କାହ୍ନୁ

         ନୟନ ଚାରୁ ସାୟକ l

ନମଇଁ ହେ କୁଞ୍ଜନାୟକ ତୋ ପଦେ

        ରସାଳ ବଂଶୀ ବାଦକ ll

ଗୋପିକା ରମଣ ରାଇ ବିନୋଦନ

        ହେ ବିଦଗ୍ଧ ଚିନ୍ତାମଣି l

ନମଃ କୁଞ୍ଜକାନ୍ତ ଛନ୍ଦା ଶ୍ରୀଚରଣ

        କଳାକାହ୍ନୁ ବେଣୁପାଣି ll

ନମାମି ଶ୍ରୀମତୀ ପତି ହେ ଶ୍ରୀପତି

     ଗଜେନ୍ଦ୍ର ମୋକ୍ଷଣ କାରୀ l

ବାଙ୍କ ଶିରେ ତୁମ୍ଭ ମୟୁର ଚନ୍ଦ୍ରିକା

      ନମସ୍ତେ ବାଙ୍କ ବିହାରୀ ll

      


Rate this content
Log in

Similar oriya poem from Classics