STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଶ୍ରୀରାମ ଜନ୍ମ ବୃତ୍ତାନ୍ତ

ଶ୍ରୀରାମ ଜନ୍ମ ବୃତ୍ତାନ୍ତ

2 mins
151


ଅଯୋଧ୍ୟା ସାଇଁ ଦଶରଥ, ଧାର୍ମିକ ସଯେ ସତ୍ୟସନ୍ଧ

ପ୍ରଜା ପାଳନେ ପ୍ରଜାପତି, ସମ୍ମୁଖେ ଅରାତି ଡରନ୍ତି ।।

ଆନନ୍ଦେ କରନ୍ତି ଶାସନ, ପ୍ରଜା କରନ୍ତି ଗୁଣ ଗାନ

କୌଶଲ୍ୟା,କୈକେୟୀ,ସୁମିତ୍ରା, ଦଶରଥ ଯେ ତାଙ୍କ ଭର୍ତ୍ତା ।।


ତାଙ୍କର ଏକ କନ୍ୟା ଶାନ୍ତା, ପାଳିଲେ ଅଙ୍ଗଦେଶ ରାଜା

ଲୋମପାଦ ସେ ନରସାଇଁ, ଶାନ୍ତାକୁ ପୋଷ୍ୟ ପୁତ୍ରୀ ପାଇ ।।

ପାଳନ କଲେ ଜତନରେ, ଦିନ କଟଇ ଆନନ୍ଦରେ 

ଯହୁଁ ଯୁବତୀ ହେଲା ଶାନ୍ତା, ବଢିଲା ରାଜାଙ୍କର ଚିନ୍ତା ।।


ଏବେଳେ ଦଇବ ବିପାକ, ସେ ରାଜ୍ୟେ ହେଲା ଅପାଳକ

ଚିନ୍ତାରେ ଲୋମପାଦ ରାଜା, ଚିନ୍ତାରେ ଅଙ୍ଗ ଦେଶ ପ୍ରଜା ।।

ସମସ୍ତେ ଚିନ୍ତାରେ ମଗନ, ଏମନ୍ତେ ଗଡିଯାଏ ଦିନ

ବଶିଷ୍ଠ ରୁଷି ଏକଦିନେ, ପ୍ରବେଶ ହେଲେ ତା ଭବନେ ।।


ରୁଷିଙ୍କୁ ଦେଖିଣ ରାଜନ, ବନ୍ଦିଲେ ପଦେ ପଡି ପୁଣ

କହିଲେ ଯେତେ ଦୁଃଖ କଥା, ଏଥୁ ଉପାୟ ଅଛି ରାଜା ।।

ବିଭାଣ୍ଡକ ଯେ ରୁଷି ବର, ରୁଷ୍ୟଶୃଙ୍ଗ ଯେ ପୁତ୍ରତାର

ତାହାଙ୍କୁ ଆମନ୍ତ୍ରଣ କରି, ଯଜ୍ଞେକ ଯୋଗାଡରେ ତୁହି ।।


ରୁଷ୍ୟଶୃଙ୍ଗ ଯେ ବ୍ରହ୍ମବେତା, ତାହାଙ୍କୁ ଆଣିବାର ଚିନ୍ତା

ଏଅଟେ କଠିନ ପରିକ୍ଷା, ଅତ୍ୟନ୍ତ ଦୁରୁହ ଏ କଥା ।।

ଉପାୟ କରିଲେ ରାଜନ, ଜରତା ବେଶ୍ୟା କୁ ଡାକିଣ

ଯାଅତୁ ରୁଷିଙ୍କ ଆଶ୍ରମ,ରୁଷ୍ୟଶୃଙ୍ଗଙ୍କୁ ନିମନ୍ତ୍ରିଣ ।।


ଆଣିତୁ ଯାଇଣ ସହଳେ, ବୋଲିଣ ତାକୁ ଆଜ୍ଞାଦେଲେ

ଜରତା ତହୁଁ ଗଲା ଚଳି, ସଙ୍ଗେ ଘେନିଣ ସହଚରୀ ।।

ରୁଷି ଆଶ୍ରମ ଅଦୂରରେ, ଜରତା ବସି ଚିନ୍ତାକରେ

ସାହସ ବାନ୍ଧିଣ ଜରତା, ରୁଷ୍ୟଶୃଙ୍ଗଙ୍କୁ କଲାଦେଖା ।।


କୌଶଳେ ପ୍ରେମ ଭୋଳେ ବଶ, କରିଲା ରୁଷିଙ୍କୁ ଅବଶ୍ୟ

ଅଙ୍ଗଦେଶକୁ ଗଲା ନେଇ, ରାଜାଙ୍କୁ ଜଣା କଲା ଯାଇ ।।

ରୁଷିଙ୍କୁ ପାଇଣ ରାଜନ, ସମ୍ମାନେ କରଇ ବନ୍ଦନ

ରାଜା ସମ୍ମାନେ ହୋଇ ପ୍ରିତ, ବୋଲନ୍ତି ବିଭାଣ୍ଡକ ସୁତ ।।


କୁହ ରାଜନ କିବା ତୋର, ମନସ୍କାମନା ମୋ ଆଗର

ସମସ୍ତ କଥା ରୁଷି ଆଗେ, କହିଲେ ରାଜନ ସରାଗେ ।।

ଯଜ୍ଞ ତୁ କର ଆୟୋଜନ, ହକାରି ମୁନି ରୁଷି ଗଣ

ଯଜ୍ଞ କରିଲେ ସର୍ବେ ମିଳି, ଦୁଃଖ ଯେ ଗଲା ଅପସରି ।।


ଯଜ୍ଞ ଶେଷରେ ଘୋର ବର୍ଷା, ହୋଇଲା ରାଜ୍ୟରେ ସହସା

ସମସ୍ତ ମୁନି, ରୁଷି ମାନେ, ଦାନ ଦକ୍ଷିଣା ହୃଷ୍ଟ ମନେ ।।

ନେଇଣ ହୋଇଗଲେ ବିଦା, ରହିଲେ ରୁଷ୍ୟଶୃଙ୍ଗ ଏକା 

ରାଜା ରାଣୀ ଯେ ବିଚାରନ୍ତି, କି ଦେଇ କରିବେ ସେ ଶାନ୍ତି ।।


ଉପାୟ କରି ରାଜା ରାଣୀ, ମିଳିଲେ ରୁଷି ପାସେ ପୁଣି

ବୋଲନ୍ତି ଶୁଣ ରୁଷିବର, ମୋ କନ୍ୟା ଶାନ୍ତାକୁ ତୁମର ।।

ହସ୍ତରେ କରିଲି ପ୍ରଦାନ, ଗ୍ରହଣେ ରଖ ମୋର ମାନ

ଶୁଣିଣ ରୁଷି ଯେ ହରଷେ, ଶାନ୍ତାକୁ ବିବାହ କଲେସେ ।।


ରୁଷ୍ୟଶୃଙ୍ଗ ଙ୍କ ସହ ଶାନ୍ତା, ଦିଶନ୍ତି ଯଥା ରାମ ସୀତା

ଚନ୍ଦ୍ର ଙ୍କ ସଙ୍ଗେ କି ରୋହେଣୀ, ଇନ୍ଦ୍ରଙ୍କ ସଙ୍ଗେ କି ଇନ୍ଦ୍ରାଣୀ ।।

କି ଦେବା ଉପମା ଆବର, ଏକୁ ଆରେକ କି ସୁନ୍ଦର

ଏମନ୍ତେ ଦିନ ଯାଏ ବିତି, ଦଶରଥ ଯେ ଭାବୁଥାନ୍ତି ।।


ବଂଶ ରକ୍ଷାର ଅର୍ଥେ ପୁତ୍ର, ନଥିବା ଯୋଗୁଁ ସେ ଚିନ୍ତିତ

ଜାମାତା ରୁଷ୍ୟଶୃଙ୍ଗ ପାସେ, କହନ୍ତି ଦୁଃଖ ସେ ବିରଷେ ।।

ରୁଷି କୁହନ୍ତି ହେ ରାଜନ, କରନ୍ତୁ ପୁତ୍ରେଷ୍ଠିକା ଯଜ୍ଞ

ରୁଷି ଆଜ୍ଞାରେ ଦଶରଥ, କରନ୍ତି ପୁତ୍ରେଷ୍ଠିକା ଯଜ୍ଞ ।।


ଯଜ୍ଞେ ଆହୁତି ପ୍ରଦାନନ୍ତି, ଆଚାର୍ଯ୍ୟ ରୁଷ୍ୟଶୃଙ୍ଗ ରୁଷି

ଯଜ୍ଞର ହେଲା ପୂର୍ଣ୍ଣାହୁତି, ଆନନ୍ଦ ଦଶରଥ ମତି ।।

ଯଜ୍ଞରୁ ଯଜ୍ଞ ଚରୁ ରୁଷି, ରଜାଙ୍କୁ ଦିଅନ୍ତି ପରଷି

ତିନି ରାଣୀଙ୍କୁ ନେଇ ଦେଲେ, ସୁମିତ୍ରା ନେଇ ରଖିଥିଲେ ।।


କାହୁଁ ଆସିଲା ଏକ ପକ୍ଷୀ, ସେ ଚରୁ ଦେଇଥିଲା ଭକ୍ଷି

କୌଶଲ୍ୟା କୈକେୟୀ ଙ୍କ ଚରୁ, ତାଙ୍କୁ ଦେଲେ ତାମଧ୍ୟରୁ ।।

ଚରୁ ପ୍ରଭାବେ ତପ ବଳେ, ଗର୍ଭ ଉଦୟ ଶୁଭ ବେଳେ

ପୂଣ୍ୟ ନବମୀ ସୁପ୍ରଭାତ, ସକଳ ଗ୍ରହ ଉଚେ ସ୍ଥିତ ।।


ଜନନୀ ଉଦରୁ ବାହାର, ହୋଇଲେ ରାମଚନ୍ଦ୍ର ବୀର

ଭରତ ଲକ୍ଷ୍ଣଣ ଶତ୍ରୁଘ୍ନ,, ଜନ୍ମିଲେ ଅଯୋଧ୍ୟା ଭୁବନ ।।

ଭରତ କୈକେଈ ଗର୍ଭର, ଆବର ଦ୍ଵୟ ସୁମିତ୍ରା ର

ଦେଖିଣ ରାଜା ଦଶରଥ, ହକାରି ବ୍ରାହ୍ମଣ ପଣ୍ଡିତ ।।


ଆବର ମୁନି ରୁଷି ଯେତେ,ଆନନ୍ଦେ ନିମନ୍ତ୍ରିତ କଲେ

ଉତ୍ସବ ହୁଅଇ ପାଳନ, ସତେ କି ଅଳକା ଭୁବନ ।।

ଦାନ ଦକ୍ଷିଣା ଭୋଜି ଭାତ, ସର୍ବେ ହୁଅନ୍ତି ଆପ୍ୟାଇତ

ଏମନ୍ତ ରାମ ଚନ୍ଦ୍ର ଜନ୍ମ, ବୃତ୍ତାନ୍ତ କରିଲି ବର୍ଣ୍ଣନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics