ଦାରୁଭୁତ
ଦାରୁଭୁତ
ଆଶ୍ଚର୍ଯ୍ୟ ହେଉଛି ତୁମକୁ ଦେଖି ,ବୁଝି ମୁଁ ପାରୁନାହିଁ ,
ସଭିଏଁ କେମିତି ତୁମ କଳା ରୂପର ହେଉଛନ୍ତି ବାଇ |
ସୀତା ମାତା ପୁଣି କେମିତି ବରିଲେ ତୁମକୁ କେଜାଣି
ବନବାସୀ ହୋଇ ,କେମିତି ପାରିଲ ତୁମେ ତାଙ୍କୁ ଜିଣି ।
କେତେ କେତେ ବୀର ,କେତେ ଥିଲେ ରାଜାଙ୍କ କୁମର,
ତୁମ ସେହି ରୂପରେ କେମିତି ମୋହିଲ କରି ଚମତ୍କାର ।
ପୁଣି ଦ୍ୱାପରରେ ଲୁଚି ଲୁଚି କଲ ରୁକ୍ମଣୀ ହରଣ ,
ଏତେ ବଡ଼ ଠାକୁର ହୋଇ ,କାହିଁକି ନକରିଲ ରଣ ।
ମାନୁଛି ଜନ୍ମରୁ ଶେଷଯାଏ ,ତୁମେ ଖାଲି କଷ୍ଟ ଭୋଗିଛ,
ହସି ହସି ସବୁ ଅପମାନର ଜ୍ୱାଳାକୁ ତୁମେ ସହିଛ |
ଭାବଗ୍ରାହୀ ବୋଲି ତୁମେ ,ବୁଝିଛ ସଭିଙ୍କ ଅନ୍ତରର ଭାବକୁ ,
ମନ ଚୋରିକରି ,ତୁମେ ଲବଣିଚୋର ,ବରିଛ ଆଦରେ ସଭିଙ୍କୁ
ଏଯାଏ ଚାଲିଛି ତୁମ ଲୀଳା ,ସରିନାହିଁ ତୁମ ମାୟା ,
ନାଟକ କରୁଛ ଦାରୁଭୁତ ରୂପେ ପାଇ,ଅସମ୍ପୂର୍ଣ କାୟା |
କଥା କୁହ ନାହିଁ ,ହାତଗୋଡ଼ ନାହିଁ ,ତୁମେ ଦାରୁଭୁତ ,
କିନ୍ତୁ ତୁମେ ସବୁ ଦେଖୁଛ ,ପାଇ ବଡ଼ ବଡ଼ ନେତ୍ର |
ପୁଜନ୍ତି ତୁମକୁ କହି ଦାରୁଭୁତ ମୁରାରୀ ସବୁ ଭକ୍ତ ,
ପୂଜୁଛି ମୁଁ ତୁମକୁ ଅନ୍ତରରୁ ଆହେ ,ହୋଇ ବେଦନାସିକ୍ତ |
ଡାକ ମୋର ଶୁଭେ ଶୁଭେ ନାହିଁ ,,ଦାରୁଭୁତ କାହିଁ ପାଇଁ
ମାଗୁଛି ତୁମରି ଟିକିଏ କରୁଣା ,ଆଉ କିଛି ଲୋଡ଼ୁନାହିଁ |
କେତେ ଅପବାଦ ପାଉଛି ,ଆଜି ଦାରୁଭୁତ ତୁମ ପାଇଁ ,
ଥଟ୍ଟା କରୁଛନ୍ତି ସଭିଏଁ ,ଆଉ ଏବେ ସହି ପାରୁନାହିଁ |
ଦାରୁଭୁତ ହୋଇ ତୁମେ ବସିଥାଅ ,ସେମିତି ତୁମ ମନ୍ଦିରରେ ,
ଆଉ ଯିବିନାହିଁ ଦେଖିବାକୁ ତୁମକୁ ,ମୋର ଏହି ଜୀବନରେ |
ତୁମ ଦାରୁଭୁତ ପଣିଆ ,ତୁମ ପାଇଁ ବଡ଼ ହୋଇଥାଉ ,
ମୋର ମାନ ଅଭିମାନ ସବୁ ,ମୋର ପାଶେ ରହିଥାଉ |
ବୁଝୁଛି ତୁମେ କାହିଁକି ଦାରୁଭୁତ ହୋଇ ଏବେ ରହିଛ
ଦଗାଦିଆ ବୋଲି ,ଏବେ ସବୁ ତୁମେ ପ୍ରମାଣ ଦେଉଛ |
ହଉ ଏବେ ଆହେ ଦାରୁଭୁତ ମୁରାରୀ ,ଜଗତ ଠାକୁର ,
ରହିଲି ଅଲଗା ହୋଇ ,ଆଉ ଦେଖା ନହେବ ଆମର |
