କେବେ କେହି ତ କହିବ
କେବେ କେହି ତ କହିବ
କେବେ କେହି ତ କହିବ ଏହି ସହର ରେ
କେହି ଜଣେ ଏଠି ରହୁଥିଲା
କଥାରେ କଥାରେ ଗୀତରେ ଗୀତରେ
ଆମରି କାହାଣୀ କହୁଥିଲା ।
ବଡ଼ ବଡ଼ିଆଙ୍କ ଉପଦ୍ରବେ ଭିତ
କହି ନୋହେ ଅବା ସହି ନୋହେ
ଦଳିତ ପତିତ ଆରତ ଜନ ର
ଆଳାପ ବିଳାପ ଗାଉଥିଲା ।
ଡରି ଡରି ବାଟ ଚାଲିବା ଠୁଁ ଭଲ
ଗତି କୁ ବିରାମ ଅଳପ ଦିଅ
ମାତ୍ର ଡରି ମରି ପଛଘୁଞ୍ଚା ଦେବା
କାପୁରୁଷ ପଣ କହୁଥିଲା ।
ସବୁରି ଛାତିରେ ବିଦ୍ରୋହ ଶୋଇଛି
ଆହ୍ୱାନ ଦିଅ ଜାଗିଯିବ
ଘସି ଦିଅ କାଠି ଦିଆସିଲି ପିଠି
ନିଆଁ ବାହାରିବ କହୁଥିଲା ।
ଜୀବନ ପଥରେ ଅନେକ ପଥିକ
ହାରି ଯାଏ କେହି ଫେରି ଯାଏ
ଅଥଚ ଉଦ୍ୟମେ ଗତି ଅବିରାମେ
ଠିକଣା ମିଳିବ କହୁଥିଲା ।
