STORYMIRROR

Sambit Srikumar

Classics Inspirational

4  

Sambit Srikumar

Classics Inspirational

ନଈବଢ଼ି

ନଈବଢ଼ି

1 min
499


ଉଛୁଳି ଉଠିଛି ଆଜି ବେଗମତୀ 

ନଈର ଦରଦୀ ସ୍ନେହବୋଳା ଛାତି

ସୁ ସୁ ଗର୍ଜି ଫେନିଳ ପଟୁଆରରେ 

ଛୁଟି ଚାଲିଛି ଆଗକୁ ଆଗକୁ 

ବନ୍ଧବାଡ କୋଠାବାଡ଼ି ଖାଲଖମା 

ଢିପ ବନ୍ଧୁର ସମତଳ ଶାଗୁଆ 

ଫସଲ ଭରା ଜମିକୁ 

ତିଳେ ବି ଖାତିର ନକରି 

କୋଳେଇ ନେବାକୁ ସାରା ସଂସାରକୁ

ଏକାକାର କରି ନେବାକୁ ସଭିଙ୍କୁ

ତାର ଅଗାଧ ଅପରିମିତ 

ଜଳ ରାଶିରେ ଅବାଧରେ 

ନିର୍ବିରୋଧରେ ନିର୍ବିକାର ଭାବରେ ।


ନାହିଁ ତାର କିଛି ବାଛ ବିଚାର 

ଧର୍ମ-କର୍ମ-ଲକ୍ଷ୍ୟ ତାର ବହି ଯିବାର

ଜଳ ବହୁଳେ ବିହୁନେ ସର୍ବନାଶ 

କେବେ ସମ୍ବଳ ପୁଣି କେବେ କାଳ 

ମତିଗତି ତାର ସଭିଙ୍କୁ ଆଗୋଚର 

କ୍ଷୟକ୍ଷତି କଳିବା ଅଟଇ ଦୁଷ୍କର 

କାହାର ଇଏ କରୁଛି ସର୍ବନାଶ 

ତ ଆଉ କାହା ପାଇଁ ପୁଷମାସ ।


ତଳମୁଣ୍ଡର ଅରକ୍ଷିତ ବିପନ୍ନ ମଣିଷ 

ହାରିଛି ଚାଷବାସ ଆବାସ ସର୍ବସ୍ବ 

ଲିଭି ଯାଇଛି ଓଠରୁ ତାର ଟିକକ ହସ 

ବିପର୍ଯ୍ୟସ୍ତ ଜ୍ଞାତି କୁଟୁମ୍ବ ପରିବାର 

ଖବର ନାହିଁ ତା' ପାଶେ କାହାର 

ଅଖିଆ ଅପିଆ ଅବିଶ୍ରାନ୍ତ ଦେହଟା 

ଦର ପୋଡ଼ା କାଠଗଡ଼ ସମ 

ବଞ୍ଚି ରହିବାର ଦୁର୍ବାର ଲାଳସାରେ

ଯାହା ଭାସି ଭାସି ଚାଲିଛି ସୁଅର ମୁହଁରେ 

ବେସାହାରା ହୋଇ ସରୀସୃପଙ୍କ ମେଳରେ 

ଯତ୍ କିଞ୍ଚିତ ସମ୍ବଳ ଜାବୁଡ଼ି ହାତରେ 

ତଥାପି ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖୁଛି 

ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ।


ଉପରମୁଣ୍ଡରେ ବିଳାସୀ ମଣିଷ

ଯତ୍ନରେ ସଜବାଜ ହୋଇ 

ଦାମୀ ଗାଡ଼ି ମଟର ଚଢି 

ମେଳା ଦେଖୁଛି ଆସି ନଈବନ୍ଧରେ 

ମୁଖରୁଚି ଦରବର ସୁଆଦ ଚାଖି ଚାଖି 

ଅତି ଆନନ୍ଦିତ ହୋଇ ସପରିବାରେ, 

ବହି ଚାଲିଛି ଅବାରିତ ଭୟଙ୍କର ଧାରା 

ତହିଁରୁ ସୃଷ୍ଟ ଜଳ ଭଉଁରୀର ଦୃଶ୍ୟ 

ରମଣୀୟ ମନୋହର ମନୋମୁଗ୍ଧକର 

ରଚନା ଲେଖଇ ଅବୋଧ ସହରୀ ଛାତ୍ରଟି 

ଦେଖିଥିବା ନଈବଢ଼ିର ବିସ୍ତୃତ ବର୍ଣ୍ଣନାରେ ।


ଏଇ ନଈବଢ଼ି କାହା ପାଇଁ ଜୀବନ

ମରଣର ମହା ସଂକଟର ସନ୍ଧିକ୍ଷଣ

ଜୀବିକା ସର୍ବସ୍ୱ ହାନିର କାରଣ 

କାହିଁ ପାଇଁ ପର୍ଯ୍ୟଟନ ମନୋରଞ୍ଜନ ।।



Rate this content
Log in

Similar oriya poem from Classics