ରହସ୍ୟ
ରହସ୍ୟ
ତୁମ ପାଦେ ଏ ହୃଦୟ ଅର୍ପଣ ମୁଁ କରୁଛି
ତୁମେ ହିଁ ତ ଏକା ସତ୍ୟ ଏ କଥାଟି ଜାଣିଛି
କେତେ ଭିଡ ଏ ସଂସାରେ ଏକା ମୋତେ ଲାଗୁଛି
ଆଲୁଅ ରୋଷଣୀ ଏଠି ଅନ୍ଧାରେ ମୁଁ ରହିଛି ।
ପାଇବାର ଇଚ୍ଛା ମୋତେ କବଳିତ କରିଛି
ନପାଇବା ଦୁଃଖ ଏଠି ତିଳେ ତିଳେ ଜାଳୁଛି
ମୁଁ ହସିଲେ ଏ ଦୁନିଆଁ ମୋ ସଂଗେ ହସୁଛି
ମୁଁ କାନ୍ଦିଲେ ଏକା ଏକା ଲୁହ କୋହ ପିଉଛି ।
ମୋ ସଂସାର ଘର ପିଲା ହୁରି ନିତି ଛାଡ଼ୁଛି
ମାୟା ମୋହ ଜଞ୍ଜିରେ ବାନ୍ଧି ଛନ୍ଦି ହେଉଛି
ସମ୍ପର୍କର ମିଛ ମିଠା ପଛରେ ମୁଁ ଧାଉଁଛି
ଦିବ୍ୟ ଚେତନାକୁ ଭୁଲି ବାଇଆ ହେଉଛି ।
ବାୟୁ ଗତି କଲେ ନାଁ ପବନ ଟି ହେଉଛି
ପବନ ଜୋର୍ ହେଲେ ବତାସ ଟି ଆସୁଛି
ସେଇ ପବନ ଟିକକ ଏତେ ଖେଳ କରୁଛି
ଶରୀରରୁ ଗଲେ ଚାଲି ଶବ କରି ଦେଉଛି ।
ଅଦ୍ଭୁତ ଏ ଜୀବନ ପୁଣି ବିଚିତ୍ର ବି ଲାଗୁଛି
କେଉଁଠୁ ଆସି ପୁଣି ସେ କୁଆଡେ ଯାଉଛି
କାହା ନିର୍ଦ୍ଦେଶରେ ଜନ୍ମ ମୃତ୍ୟୁ ଖେଳ ଚାଲୁଛି
ଏ ରହସ୍ୟ କହ କିଏ ସତରେ ବା ଜାଣିଛି ।