ବୋଉ
ବୋଉ
ସ୍ବର୍ଗୀୟ ସୁଷମା ବଦନରେ ତାର,
କଥାରେ ଅମୃତ ଝର
ସପତ ସିନ୍ଧୁର ଗଭୀରତା ହୃଦେ,
ବୋଉ ଆମ ଆପଣାର ।
ତା କୋଳ ଆମର ଖୁସିର ଝୁଲଣା,
ମମତାର ଗନ୍ତାଘର
ସେନେହର ନଈ ଅନ୍ତରକୁ ଛୁଇଁ,
ଲଂଘୁଥାଏ ଦୁଇକୂଳ ।
ମହୁଠାରୁ ମିଠା ଦୁଇପଦ କଥା,
ମିଠା ଲାଗେ ଗାଳି ତାର
ମଧୁର ତା ଛୁଆଁ ଭୁଲାଏ ଦୁନିଆ,
ମିଠା ତାର ଆକର୍ଷଣ ।
ଅଭୟ ଦାୟିନୀ ତା ପଣତ କାନି,
ସେ ସୁଖ ଆଉ ଵା କାହିଁ ?
ସମ୍ପର୍କର ସେତୁ ଗଢ଼ିଦେଇଥାଏ,
ଦେଖିବା ଆଗରୁ ଭୂଇଁ ।
ଜୀବନ ଦିଏ ସେ ରକତ ନିଗାଡ଼ି,
ଅମୃତ ଆହାର ଦିଏ
ସଂସାର ଦାଣ୍ଡରେ ସଂସ୍କାର ଚଳଣି,
ସବୁ ସେ ଶିଖାଇ ଥାଏ ।
ହାତ ଧରି ଚାଲି ଶିଖାଏ ଆମକୁ,
ପ୍ରଥମ ଗୁରୁ ସେ ବୋଉ
ତା ସ୍ନେହ ଅଗଣା ହୁଏନି ପୁରୁଣା,
ନୂଆ ପରି ଦାଉ ଦାଉ ।
ସରଗର ସୁଖ ତା କୋଳରେ ଥିଲେ,
ଫିକା ଫିକା ସବୁ ଆଉ
ବାର ଓଷା ତେର ପରବ କରଇ,
ଆମ ପାଇଁ ଆମ ବୋଉ ।
ଝୁଣ୍ଟିବା ଆଗରୁ ଧରି ନିଅଇ ସେ,
ତା ପରି ମହାନ ନାହିଁ
ଲୁହ ପିଇ ପିଇ ହସକୁ ବାଣ୍ଟଇ,
ସବୁ ସହେ ଆମ ପାଇଁ ।
ଦେଇ ଜାଣେ ସିଏ ମାଗିବା ଜାଣେନା,
ଆମ ଘର ଠାକୁରାଣୀ
ଅଦିନ ଝଡ଼ରେ ଜୀବନ ମୋଡ଼ରେ,
ହୁଅଇ ସେ ବୈତରଣୀ ।
ସିଲଟ ଧରାଇ ଆକଟ କରାଇ,
ଅକ୍ଷର ଶିଖାଇଥାଏ
ମିଠା ଗାଳି ଦେଇ ସେନେହ ମାଡ଼ରେ,
ମଣିଷ କରଇ ସିଏ ।
ପୁରା ରାତି ଚେଇଁ କୋଳରେ ଧରଇ,
ନାହିଁ ଶୋକ ନାହିଁ ଗ୍ଲାନି
ଅଭୟ ଢାଲ ସେ ଅମୂଲ୍ୟ ଦାନ ସେ,
ଭୁଲାଏ ବାପାଙ୍କ ଗାଳି ।
ଜୀବନ ବଞ୍ଚିବା ଶୈଳୀ ଶିଖାଇଛି,
ଫୁଲଠୁ କଅଁଳ ମନେ
ଭୁଲିଯାଏ ସବୁ ଭୋକ ଆଉ ଶୋଷ,
ନିସ୍ଵାର୍ଥପର ସେନେହେ ।
ସମ୍ପର୍କ ଗଢିଛି ଜନମ ଆଗରୁ,
ତା ବିନା ଜୀବନ ଅଧା
ବୋଉ ନାମ ଏକ କୁହୁକ ଶବଦ,
ଆସେନା ଜୀବନେ ବାଧା ।
ଦୁଇଟି ଅକ୍ଷର ବୋଉ ବୋଲି ଡାକୁ,
ଛୋଟିଆ ଏକ ଶବଦ
ଗଭୀରତା ତାର ଆକାଶୁ ପାତାଳ,
ମୋ ପାଇଁ ପଞ୍ଚମବେଦ ।
ପବିତ୍ର ସେ ନାମ ପ୍ରାତଃ ସ୍ମରଣୀୟ,
ଜପେ ଯିଏ ନିରନ୍ତର
ବନ୍ଧୁର ସଂସାର ଜୀବନ ବେଭାର,
ହୁଅଇ ଅତି ସରଳ ।
ଜହ୍ନ ଦିଏ ତୋଳି ବୁଝି ଆମ ଅଳି,
ସେନେହ ପଣତେ ଝାଡ଼େ
ବାତ୍ସଲ୍ୟ ମମତା କରେ ନାହିଁ ଉଣା,
ଉଦାରତା ଭରା ପ୍ରାଣେ ।
ଶକ୍ତିମୟୀ ସେ ଯେ ପ୍ରକୃତି ରୂପିଣୀ,
ସନ୍ତାନ ବତ୍ସଳା ନାରୀ
ପ୍ରୀତିର ପୀୟୂଷ ସୃଷ୍ଟି କାରିଣୀସେ,
ମମତାର ପୁଜାରିଣୀ ।
ତା ଋଣକୁ କେହି ଶୁଝି ପାରିବେନି.,
ନେଲେ ବି ସାତ ଜନମ
ଭକ୍ତି ଅର୍ଘ୍ୟ ଦେଇ ତା ପାଦ ପୂଜଇ,
ଆମ "ବୋଉ" ପରି କିଏ ହେବ?
