ବାସନ୍ତୀ ଦୁର୍ଗା
ବାସନ୍ତୀ ଦୁର୍ଗା
ଜୟ ମା ଜଗତ ଜନନୀ
ଅଭୟା ଅଷୁର ଦଳିନୀ ।
ଜ୍ୟୋତିରୁ ହୋଇଲ ପ୍ରକଟ
ଟାଳିଲ ସଂସାର ସଙ୍କଟ ।
କରୁଣାର ଅବତାର ଗୋ
ମମତାର ପାରାବାରଗୋ ।
ଭକତିରେ ଯିଏ ଡାକିଛି
ଅମାରାତି ତାର ପାହିଛି ।
ଦୁଃଖ ଦୂରିତ ଦୂରାସିନୀ
ଦୁର୍ଗେ ମା ଦୁର୍ଗତି ନାସିନୀ ।
ଜୟ ମା ମହୀଷ ମର୍ଦ୍ଦନୀ
ଜୟ ମାଆ ସିଂହବାହିନୀ...
ଅଜୋନୀ ସମ୍ଭୂତା ମାଆ ତ
ଦେବାଗ୍ନିରୁ ହୋଇଲେ ଜାତ ।
ଦେବତାଙ୍କ ଅସ୍ତ୍ରଶସ୍ତ୍ରରେ
ଧରି ମାଆ ଦଶ ହାତରେ ।
ଦୈତ୍ୟଙ୍କ ସାଥେ କଲେ ଯୁଦ୍ଧ
ଶୁମ୍ଭ ନିଶୁମ୍ଭ ହେଲେ ବଦ୍ଧ ।
ମହୀଷାଶୁର ଯୁଦ୍ଧ କଲା
ମାୟାରେ ଶକ୍ତିହରା ହେଲା ।
ମାଆଙ୍କ ଶୂଳେ ପ୍ରାଣ ଗଲା
ସଂସାର ଦୁଃଖ ଦୂରହେଲା
ଦେବତା କଲେ ପୁଷ୍ପ ବୃଷ୍ଟି
ହସି ଉଠିଲା ସାରା ସୃଷ୍ଟି....
ସପ୍ତସତୀ ଚଣ୍ଡୀ ପୂରାଣ
ଦେବୀ ଭାଗବତେ ବର୍ଣ୍ଣନ,
ରାଜା ଥିଲେ ଜଣେ ସୁରଥ
ରାଜ୍ୟହରା ହୋଇ ସେହିତ,
ବୁଲୁଥିଲେ ଘୋର ବନରେ
ମହର୍ଷି ମେଧାଙ୍କୁ ମିଳିଲେ ।
ବତାଇଲେ ଋଷି ରାହାତ
ଦୁର୍ଗା ବ୍ରତ କଲେ ରାଜାତ ।
ବସନ୍ତ ଋତୁରେ ସୁରଥ
ମୃଣ୍ମୟୀ ମୂରତି ସ୍ଥାପିତ
ମାଆଙ୍କୁ ଭକ୍ତିରେ ପୂଜିଲେ
ରାଜ୍ୟ ତାଙ୍କ ଫେରି ପାଇଲେ ...
ସମାଧି ନାମରେ ବୈଶ୍ୟଟି
ଥିଲା ତା ଅମାପ ସମ୍ପତ୍ତି ।
ମନ୍ଦ ବେଳ ତାର ଆସିଲା
କାରବାର ତାର ବୁଡିଲା ।
କାଲି ଧନୀ ଆଜି ନିର୍ଧନ
କାନ୍ଦି କାନ୍ଦି ଗଲା ଜୀବନ ।
ଦୁର୍ଗାଙ୍କୁ ଭକ୍ତିରେ ପୂଜିଲା
ଅମାରାତି ତାର ପାହିଲା ।
ସୁଖଦିନ ତାର ଫେରିଲା
ମାଆଙ୍କ ମହିମା ରଟିଲା
ବସନ୍ତରେ ମୃଣ୍ମୟୀ ପୂଜା
ଉଡିଲାତ ମାଆଙ୍କ ଧ୍ବଜା...
ଲଙ୍କାର ରାଜା ସେ ରାବଣ
ସୀତାଙ୍କୁ କରିଲା ହରଣ
ବ୍ରହ୍ମା ବଳରେ ବଳିଆନ
ତା ସାଥେ ଯୁଝିବା କଠିନ ।
ଦୁର୍ଗା କରିଲେ ଦୟା ଜାଣ
ନିଶ୍ଚୟ ହାରିବ ରାବଣ ।
ସେ ଥିଲା ମାସ ଯେ ଆଶ୍ବିନ
ମାଆ କରିଥିଲେ ସୟନ ।
ଆକୁଳେ କୌଶଲ୍ୟା ନନ୍ଦନ
ଅକାଳେ କରିଲେ ବନ୍ଦନ ।
ମାଆ ଯେ କଲେ ବରଦାନ
ରାବଣ ହୋଇଲା ନିଧନ ...
ମୃଣ୍ମୟୀ ଦୁର୍ଗାଙ୍କ ପୂଜାତ
ବରଷକେ ଦୁଇ ଥରତ ।
ଶରତ ବସନ୍ତ ଋତୁରେ
ମାଆ ତ ଆସନ୍ତି ଧରାରେ।
ଶାରଦୀୟ ପୂଜା ଶରତେ
ବାସନ୍ତୀ ଦୁର୍ଗା ଯେ ବସନ୍ତେ ।
ମୃଣ୍ମୟୀ ଦୁର୍ଗାଙ୍କ ପୂଜନ
ଉଛୁଳେ ଗଗନ ପବନ ।
ବାସନ୍ତୀକ ପୂଜା ପାର୍ବଣ
ଭାବରେ ଭିଜଇ ଫଗୁଣ ।
ବାସନ୍ତୀ ଦୁର୍ଗା ଆବାହନୀ
ଜୟଗାନ କରେ ମେଦିନୀ ...
ଚୈତ୍ର ଶୁକ୍ଳ ଷଷ୍ଠୀ ଠାରୁଯେ
ବାସନ୍ତୀ ଦୁର୍ଗାଙ୍କ ପୂଜାଯେ ।
ମଣ୍ଡପେ ମୃଣ୍ମୟୀ ମୂରତି
ସିଂହ ବାହିନୀ ମହାଶକ୍ତି।
ହୋମ ଯଜ୍ଞ ଘୃତ ଆହୁତି
ମନେ ଭରେ ଅପୂର୍ବ ଶାନ୍ତି ।
ସପ୍ତମୀରୁ ଚଣ୍ଡୀ ପାଠରେ
ଉଛୁଳଇ ଦେବୀ ପୀଠରେ ।
ଅଷ୍ଟମୀରେ ଭକ୍ତ ଗହଳ
ବ୍ରତଧାରୀଙ୍କର ଚହଳ ।
ନବମୀରେ ମା ବିସର୍ଜନ
ପୂଜା ହୁଅଇ ସମାପନ ।
ଅସତ୍ୟରୁ ସତ୍ୟ ପଥକୁ
ଅନ୍ୟାୟରୁ ନାୟ ମାର୍ଗକୁ
ଭକ୍ତଙ୍କୁ ମା ଦେଖାନ୍ତି ରାହା
ସୁଖେ ଦୁଃଖେ ହୁଅନ୍ତି ସାହା ।
ଦୟାମୟୀ କରୁଣାମୟୀ
ମହାମାୟା ମମତାମୟୀ ।
ସ୍ନେହ ଶ୍ରଦ୍ଧା ଶାନ୍ତି ରୂପିଣୀ
ବିଦ୍ୟା ବୁଦ୍ଧି ଶକ୍ତି ଦାୟିନୀ ।
ମାଆ ସେତ ଦୁଃଖ ହାରିଣୀ
ମାଆ ସେ ସଙ୍କଟ ତାରିଣୀ ।
ପାଦ ତଳେ କୋଟି ପ୍ରଣାମ
ଢାଳେ ମୁଁ ଅଧମ ଅକ୍ଷମ....
