STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚିଲିକା

ଚିଲିକା

1 min
29K


ରାଧାନାଥ ରାୟ



ଉତ୍କଳ-କମଳା ବିଳାସ-ଦୀର୍ଘିକା,

ମରାଳ ମାଳିନୀ ନୀଳାମ୍ବୁ ଚିଲିକା,

ଉତ୍କଳର ତୁହି ଚାରୁ ଅଳଙ୍କାର

ଉତ୍କଳ-ଭୁବନେ ଶୋଭାର ଭଣ୍ଡାର;

ସ୍ବଭାବେ ଭାବୁକ-ମାନସ-ଉଲ୍ଲାସୀ

ଦିଗନ୍ତ-ବିସ୍ତାରୀ ତୋର ବାରିରାଶି,

ପ୍ରସନ୍ନ ବଦନୀ ଉଜ୍ଜ୍ବଳ ବରଣା

ମୁଖଶ୍ରୀ ଦେଖନ୍ତି ଯହିଁ ଦିଗଙ୍ଗନା ।

ନୀଳ ଅଙ୍ଗ ତୋର ଚିତ୍ର ଅନ୍ତରାଳେ

ନାସି, ନଳବନ, ଶୈଳ, ଦ୍ବୀପମାଳେ

ଦକ୍ଷିଣେ ମିଶିଛି ତୋର ଗର୍ଭେ ଆସି

ସୌର କରୋଭାସି ନୀଳ ରମ୍ଭାନାସୀ

ବିମାନ ଆକାରେ ଭାସେ ଶତ ଶତ

ନୀଳୋରସେ ତୋର ଶୈଳ ମାରକତ ।

ପକ୍ଷଚ୍ଛେଦି-ଶତ୍ର-ଭୟେ କି ଶଇଳେ

ଲୁଚି ରହିଥିଲେ ତୋହରି ସଲିଳେ ?

ସନ୍ନିଧି ଲଭିଣ ଭଗବତୀଙ୍କର

ତୋଳିଛନ୍ତି ଗୁଳ୍ମ-ଜଟିଳ ଶିଖର ?

ଦେଉଳ କିରୀଟୀ କାଳୀଜାଈ ଗିରି

ମରକତ-ସେତୁ ପ୍ରାୟେ ଯାର ଶିରୀ

ଶ୍ବେତାଙ୍ଗ ଚଢ଼ାଇ ଗୁହା ସମୁଦ୍‌ଗତ

ନୀର ଭେଦି କିବା ଉଠେ ଐରାବତ !

ତରଙ୍ଗ ବେଷ୍ଟିତ କାଙ୍କଣ ଶିଖରୀ

ଆଦ୍ୟଫଳେ ଯାର ତରୀ ପୂର୍ଣ୍ଣ କରି

ବର୍ଷେ ବର୍ଷେ ହ୍ରଦବିହାରୀ ଧୀବରେ

ଆଦରେ ପ୍ରେରନ୍ତି ଲକ୍ଷ୍ମୀ-ରୋଷଘରେ ।

ସ୍ଥାନେ ସ୍ଥାନେ ନୀର ଭେଦିଛି ସୈକତ

ଶାରଦ ଆକାଶେ ଯେହ୍ନେ ଛୟାପଥ ।

ତାରାପୁଞ୍ଜେ ଯଥା ଶୋଭେ ହରିତାଳୀ,

ପୁଲିନ ତେସନ ଶୁଭ୍ର ଶୁକ୍ତି-ଶାଳୀ ।


Rate this content
Log in

Similar oriya poem from Classics