STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଆଜିର ରଜ

ଆଜିର ରଜ

2 mins
128

ନଥିଲେ ନଥାଉ ଆଉ ବନସ୍ତ

କି ବନସ୍ତେ ନଥାଉ ଗଜରାଜ

ସେ ନ ଡାକିଲେ ବି

ରଜ ଆମର ଆସିବ ହିଁ ଆସିବ

ଅଛି ଆମର କ୍ଯାଲେଣ୍ଡର ପାଞ୍ଜି

ଇଂରାଜୀ ଜୁନ ମଧ୍ଯଭାଗରେ

ଆମର ମହାନ ଗଣପର୍ବ ରଜ

ଓଡ଼ିଆ ମାସର ନାଁଟା କି

ଜାଣିବା ନିହାତି ଆବଶ୍ୟକ?

ନଥିଲେ ନଥାଉ ତୋଟା

ସବୁଜ ସୁନ୍ଦର ବର ଓହଳ

ଖେଳିବାକୁ ରଜ ଦୋଳି

କଂକ୍ରିଟ୍ ଜଙ୍ଗଲର ଶକ୍ତ

ଛାତିରେ ଝୁଲା ଝୁଲେଇ

ଦେଲେ ଯେଉଁ ଆତ୍ମତୃପ୍ତି

ସେ କି ପଙ୍କ କାଦୁଅରେ ମିଳଇ?

ଗାଁ ଦୋମେଳିରେ

ଭାଇ ତ ଭଗାରି

ମୁହଁ ଚାହାଁ ଚାହିଁ ନାହିଁ

ରଜ ପରାଦିନେ

ବାଗୁଡ଼ି ଖେଳିବାକୁ ବା

କାହାକୁ ତର କାହିଁ?

ମୋବାଇଲରୁ ଫୁରୁସତ୍

ମିଳିଲେ ତ ଘର କୋଣରୁ

ଦାଣ୍ଡକୁ ପିଲାଏ ଆସିବେ ଧାଇଁ।

ବରଷାର ଦେଖା ନାହିଁ

ଟାଙ୍ଗରା ପଡ଼ିଛି ଭୂଇଁ

କୋଡ଼ି କୋଦାଳ ଲଙ୍ଗଳରେ

କଳଙ୍କି ଲାଗି ଗଲାଣି

ଟ୍ରାକ୍ଟର ଜମିକୁ ଚଷଇ

ଚାଷୀ ପୁଅ ଦାଦନ ଖଟୁଛି

ଦୂର ବିଦେଶରେ

ଭିଟାମାଟିକୁ ବନ୍ଧା ପକାଇ।

ନପାଚୁ ପଛେ ଗଛରେ

ଆଉ ଆମ୍ବ ପଣସ

ଆମର ପରା ଅଛି

କାରବାଇଡ୍ ବିଷ

କଞ୍ଚାକୁ ପାକେଲା କରିବାଟା

କୋଉ ଯେ କାଠିକର ପାଠ?

ପିଜ୍ଜା ବର୍ଗର ଯୁଗରେ

ମରହଟ୍ଟିଆ ପୋଡ଼ପିଠା

ଆଉ ଖାଉଚି କିଏ?

କାଠଚୁଲିର ଡହକ

ନିଆଁରେ ସିଝୁଚି ବା କିଏ?

ବରାଦୀ କେକ୍ ଆଣି

ଚଳେଇ ଦେଲେ କଥା ସରେ

ପୁଣି ଆର ବର୍ଷକୁ

ଦେଖାଯାଇ ପାରେ

ସୁଆଦିଆ ମିଠାପାନ

ହୋଇଛି ପାଶୋର

ଖୁଟଖା ଖାଇ ଖାଇ

ଘୋଟୁଛି କ୍ଯାନସର।

ଯେତେ ଯାହା ହୋଇଯାଉ

ନଥାଉ ପଛକେ ପୁରୁଣା

ଦିନଗୁଡ଼ିକର ମହକ

ରହିଥାଉ ଆମ ରଜ କାଳ କାଳକୁ

ଆସୁଥାଉ କ୍ଯାଲେଣ୍ଡର ପୃଷ୍ଠାରେ

ଆଧୁନିକତାର ରଙ୍ଗ ମାଖି

ଫି ବର୍ଷ ସଭିଙ୍କୁ ଦେବାକୁ ମଉଜ

ଘେନି ନୂଆ ସଜବାଜ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract