STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

କାବ୍ଯାଦର୍ଶ

କାବ୍ଯାଦର୍ଶ

2 mins
213


ଗାଇବାକୁ ଚାହୁଁଥିଲି ପ୍ରୀତିର

ରାଗିଣୀ ମହ୍ଲାର ରାଗରେ

କେଜାଣି କାହିଁକି ପାରିଲିନି

ଲେଖି ମୁଁ ପ୍ରେମ କବିତା

ତୁମ ପରି ନିର୍ଭୁଲ ସୁର ତାଳ

ଛନ୍ଦ ବୃତ୍ତ ରାଗ ଓ ଲୟରେ !


ଅବଶୋଷ ତିଳେ ବି ନାହିଁ

ମୋର ପାରିଲିନି ବୋଲି

ତୁମ ପରି ଲେଖି ସୁଲଳିତ

ସାବଲୀଳ ସୁନ୍ଦର କବିତା

କାରଣ ତୁମେ ଆଙ୍କ ବିଳାସୀ

ଛବି କଳ୍ପନାର କାନଭାସରେ

ମାପିଚୁପି ସୁନିର୍ବାଚିତ ଉଚ୍ଚକୋଟିର

ଭାବ ଓ ଶବ୍ଦ ବିନ୍ୟାସରେ

ରଚୁଥାଅ ତୁମେ ଉଚ୍ଚାଙ୍ଗ ଉତ୍କୃଷ୍ଟ

ଦରବାରୀ ସମ୍ଭ୍ରାନ୍ତ ସାହିତ୍ୟ

ସାରଗର୍ଭକ ଅଥଚ କ୍ଲିଷ୍ଟ

ଭାଷାର ସୂକ୍ଷ୍ମ ଭାସ୍କର୍ଯ୍ୟ କାରୁକାର୍ଯ୍ୟରେ!


ମୁଁ ଦେଖେ ଚର୍ମ ଚକ୍ଷୁରେ ମୋହର

ଭୋକର ଭୂଗୋଳରେ

କ୍ଷୁଧାଗ୍ରସ୍ତ ବୁଭୁକ୍ଷୁ ମଣିଷର

କଙ୍କାଳସାର କ୍ଷୀଣ କଳେବର

ଶୁଣେ କାନ ଡ଼େରି ହାଃ ଅନ୍ନର

କରୁଣ ବିକଳ ଚିତ୍କାର

ବିଳପି ଉଠେ ଜାଗତିକ ସତ୍ତା

ସହିତ ଅନ୍ତରାତ୍ମା ମୋର

ଲୋମକୂପ ସବୁ ପଡ଼ନ୍ତି ଉଛୁଳି

ହାଃ ହତାଶା ଅଗ୍ନିରେ

କେମିତି ଲେଖିବି କୁହ

ଏଇ ଦାରୁଣ ଯନ୍ତ୍ରଣା ବୋଧରେ?


ବଦଳିଗଲା ପାଠ୍ୟକ୍ରମ ବିଶ୍ବବିଦ୍ୟାଳୟ

ମାଟି ଛୁଇଁବାପରେ

ବଦଳିଗଲା କାବ୍ୟାଦର୍ଶ ନୂତନ

ଦର୍ଶନ ଚିନ୍ତନର ପ୍ରଭାବରେ

ବିଦ୍ରୋହର ସ୍ୱର ତୋଳିଲି

ଅନ୍ତତଃ କଥାରେ ଓ ଲେଖାରେ

ଯୁଝିଲି ଯୁଝୁଛି ଯୁଝୁଥିବି ଦି' ପଇସା

ରୋଜଗାରର ଆଶାରେ

ପ୍ରେମ ରହିଗଲା ବହୁ ଦୂରରେ

ପଛରେ ଭାତହାଣ୍ଡିର ଦାୟରେ

ପ୍ରେମିକଟି ମରି ହଜିଗଲା

କେଉଁ ଅଜ୍ଞାତ ଅନ୍ଧାରୀ ଗଳିରେ!


ଦୁନିଆର ଦାରିଦ୍ର୍ୟ ଅନାହାର

ଅପପୁଷ୍ଟି ବିସ୍ଥାପନ ଶୋଷଣ କଷଣ

ବିରୁଦ୍ଧରେ ମୁହିଁ ଯେ' ଲଢ଼ୁଛି

ଲଢ଼ୁଥିବି ଅବିରତ ଚିରଦିନ

ଲେଖି ମୁଁ ପାରୁଛି ଆଜି କବିତାରେ

ଜୀବନର ବ୍ୟବସ୍ଥାର ନଗ୍ନ ସତ୍ୟ

ସେଥି ଲାଗି ମୋ' କବିତା ସବୁ ଲାଗେ

ରସହୀନ ଛନ୍ଦହୀନ ଭାବଶୂନ୍ୟ

ସାରସ୍ଵତ ସାଧନାରେ ପୁରସ୍କାର

ପ୍ରାପ୍ତିର ଆଶା କାଣିଚାଏ ମୁଁ ରଖିନି

କହିପାର ଲେଖିବାରେ ତୃପ୍ତି ମିଳିନି

କି ଲେଖିବାର ସ୍ପୃହା ବି କମିନି!


ମାପଚୁପ ଧରାବନ୍ଧା ବିଧିବିଧାନରେ

ଆବଦ୍ଧ ନୁହଁଇ ମୋର ଲେଖା

ଦୁର୍ବଳ ଅବହେଳିତ ମୁକ୍ତିକାମୀ

ମଣିଷର ଗାଇ ଗାଇ ଜୟ ଗାଥା

ମୁକ୍ତ ଛନ୍ଦ ଶକ୍ତିଶାଳୀ ପ୍ରବହମାନା

ଜୀବନ୍ତ ତଟିନୀର ଧାରା ପରି

ଯିବ ବହି ମିଶିବାକୁ ମୁଖ୍ୟ ସ୍ରୋତରେ

ରୁକ୍ଷ ପ୍ରସ୍ତରର ବକ୍ଷ ଚିରି

ତୁମେ କରିପାର ଉପହାସ ମୋର

କବିତାର ତୁମ ସମ୍ଭ୍ରାନ୍ତପଣରେ

ସ୍ବେଚ୍ଛାରେ ନାମି ପାର ତା'ରେ

ଗବିତା ଫବିତା ଆଦି ବିଶେଷଣରେ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract