STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଷୋଳ କଳା

ଷୋଳ କଳା

2 mins
137


  

ଷୋଳ କଳାରେ ଜଗନ୍ନାଥ  

କଳାରେ କଳା ସେ ଅନନ୍ତ  

ପ୍ରତି କଳାରେ ଭରା ଭାବ  

ଜ୍ଞାନ ଧ୍ୟାନ ରୁ ସେ ଉଦ୍ଭବ  

କଳା ସେ ଜୀଇବାର କଳା

ହସି କହନ୍ତି ଚକାଡୋଳା 

ସେକଳା ହେଲେ ଦେହେନେସି 

ହସେ ଦିବସ ହସେ ନିଶି ।


ପ୍ରଥମ କଳା ସେ 'ନିବୃତ୍ତି'

ପ୍ରଭୁ ଚିନ୍ତାରେ ମିଳେ ଶାନ୍ତି  

ସ°ସାରୀ ହୋଇ ଜପ ହରି 

ମାୟା ମୋହ ସବୁ ପାଶୋରି

ମାୟା ରେ ଯିଏ ହୁଏ ବାଇ

ତାକୁ ଡରାଏ ନିଜ ଛାଇ 

ସ°ସାରେ ସାର ଜଗନ୍ନାଥ 

ମୟାର ଯହିଁ ହୁଏ ଅନ୍ତ  ।


ଦ୍ବିତୀୟ କଳା ଯେ "ପ୍ରତିଷ୍ଠା'

ଦିବ୍ୟ ଲୋଚନ ଦିବ୍ୟ ଦ୍ରଷ୍ଟା

ସତ୍ କରମ ସତ୍ ଚିନ୍ତା 

ସତ୍ୟ ବଚନ ସତ୍ୟ ନିଷ୍ଠା  

ସତ୍ୟ ଧରମ କର୍ମ କରି

ଯଶ ଅର୍ଜନ ,ମିଳେ ହରି 

ପ୍ରତିଷ୍ଠା ମିଳେ ମିଳେ ଖ୍ୟାତି

ସେ ଖ୍ୟାତି ସୁଖ ଅସରନ୍ତି  ।


ତୃତୀୟ କଳା 'ବିଦ୍ୟା' ଜାଣ 

'ବିଦ୍ୟା' ଅଟଇ ମହାଧନ 

ସେ ଧନ କଲେ ବିତରଣ  

ପୂଣ୍ୟ ହୁଅଇ ଅରଜନ  

ସେ ଧନ ଯେତେ ବାଣ୍ଟୁଥିବ

ମାନ ତା ସେତେ ବଢୁ ଥିବ 

ସ୍ବାର୍ଥ ନରଖି ଦାନ କର  

କୁହନ୍ତି କଳା କଳେବର  ।


'ଶାନ୍ତି' ଯେ ଚତୁର୍ଥ କଳାଟି  

ପ୍ରଶାନ୍ତ ତାର କାୟା କାନ୍ତି  

ସେ ଲାଗି ପ୍ରଭୁ ଶାନ୍ତାକାର  

ସତ୍ୟ ସୁନ୍ଦର ଶୁରେଶ୍ବର 

ମନ ମସ୍ତିଷ୍କ ସମନ୍ୱୟ

 ଭାବରେ ସ୍ବଭାବ ବିନୟ 

ସ୍ଥିର ଚିତ୍ତରେ କାର୍ଯ୍ୟ କଲେ  

ପ୍ରମାଦ ନପଡଇ ଭଲେ  ।


'ଇନ୍ଧିକା' ସେ କଳା ପଞ୍ଚମ 

 ଇନ୍ଧନର ଅଟେ ମାଧ୍ୟମ 

 ମନ ଚୈତନ୍ୟ ର ଶକତି  

 ଭାବାବେଗ ଭାବ ଭକତି  

 ସେ ଶକ୍ତିର ସଦୁପଯୋଗ

 ଉଛୁଳଇ ଜୀବନ ରଙ୍ଗ 

 'ଦୀପିକା' ସେ ଷଷ୍ଠ କଳାଟି 

 ଶକ୍ତି ଉପଯୋଗ ମାର୍ଗଟି । 


ଦୁଷ୍ଟ ପ୍ରବୃତ୍ତି ରୋକିବା କଳା  

'ରୋଚିକା' ସେ ସପ୍ତମେ ଭଲା 

ନିଜ ଦୋଷ କରି ସ୍ବିକାର 

ଦୋଷ ଠାରୁ ରହିବ ଦୂର 

'ରୋଚିକା' କଳା ଯେ ଏହି

ଭଲବାଟ ଦିଏ ଦେଖାଇ 

'ମୋଚିକା' ସେ କଳା ଅଷ୍ଟମ  

ଦୂରକରେ ମାୟାର ଭ୍ରମ  ।


ନବମ କଳା 'ବ୍ରହ୍ମଚର୍ଯ୍ୟ' 

ସୁସ୍ଥ ଶବଳ ବଳବୀର୍ଯ୍ୟ  

ଉତ୍ତମ ଚରିତ୍ର ଚିତ୍ରିତ  

ସ୍କନ୍ଧରେ ଲକ୍ଷ୍ମୀ ବିରାଜିତ 

ଦଶମ କଳାଟିର ନାମ

କଳାରେ କଳା ସେଯେ 'ସୂକ୍ଷ୍ମ'

ସୂକ୍ଷ୍ମ ବିଚାର ସୂକ୍ଷ୍ମ ବୁଦ୍ଧି 

ପ୍ରୟୋଗେ ସବୁ କାର୍ଯ୍ୟ ସିଦ୍ଧି ।


 ଏକାଦଶ କଳା ଟି ସେତ 

 ନିରାମୟ 'ସୂକ୍ଷ୍ମ ଅମୃତ' 

କଥାରେ ଅମୃତ ବୁହାଇ  

 ମନ ପ୍ରାଣ ନିଅଇ ମୋହି 

'ଜ୍ଞାନ' ଯେ ଦ୍ବାଦଶ କଳା ଟି

ଭଲ ମନ୍ଦ ବୁଝି ପାରେଟି 

ଅମା ଅନ୍ଧାର ଯାଏ ହଟି 

ବଇରୀ ହୃଦ ପାରେ ଜିତି ।


ତ୍ରୟୋଦଶରେ 'ଜ୍ଞାନାମୃତ' 

ଜଗତେ କରି ପ୍ରବାହିତ 

ଶାନ୍ତି ସ°ପ୍ରିତି ସ°ସ୍ଥାପନ 

ଜୀବନ ହୋଇବଟି ଧନ୍ୟ 

ଚତୃଦଶରେ 'ଆପ୍ୟାୟୀନି'

ସମାଜ କଲ୍ୟାଣ କାରିଣୀ 

'ବ୍ୟାପିନୀ' ପଞ୍ଚଦଶ କଳା 

ସତ୍ୟ ସୁନ୍ଦର ଦିବ୍ୟ ଲିଳା ।


ଷୋଡଶ କଳା 'ବ୍ଯମୋରୂପା' 

ବିବେକ ବଳେ ଦିବ୍ୟଦ୍ରଷ୍ଟା  

ଷୋଳ କଳାର କଥା ଏହି  

ସେ କଳା ନିଏ ମନ ମୋହି  

ଷୋଳ କଳାରେ ଚକାଡୋଳା

ତହୁଁ କଳାଏ ନନ୍ଦ ବଳା 

ତାଙ୍କ ପାଦରେ ରହୁ ଚିତ୍ତ 

ଜୟ ମୋ ପ୍ରଭୁ ଜଗନ୍ନାଥ  ।




  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics