ମାଆ ମାଣିକେଶ୍ବରୀ
ମାଆ ମାଣିକେଶ୍ବରୀ
ମାଣିକେଶ୍ବରୀ ଲୋ ମାଆ ମାଣିକେଶ୍ବରୀ
କଳାହାଣ୍ଡି ରାଇଜର ରାଜ ଈଶ୍ବରୀ ।
ମହାବିଦ୍ୟା ଛିନ୍ନମସ୍ତା ତୁ ଖମ୍ବେଶ୍ବରୀ
ତୋ ଆଶିଷେ ହସେ ମାଆ ମାଣିକ୍ୟପୁରୀ ।
ନାଗବ°ଶୀ ରାଜାଙ୍କର ତୁ କୂଳଦେବୀ
ଦୁଃଖ ଦୂରହୁଏ ତୋତେ ହୋଇଲେ ଭାବି।
ରାଜ ଉଆସ ରେ ମାଆ ପାଉଛୁ ପୂଜା
କାରୁଣ୍ଡ ରାଜ୍ୟ ରେ ଉଡେ ତୋହରି ଧ୍ବଜା।
ଭକତ ଭାବରେ ମାଆ ହୋଇଛୁ ବନ୍ଧା
କଳାହାଣ୍ଡି କଳାନିଧି ତୋପାଦେ ଛନ୍ଦା ।
କଳାହାଣ୍ଡି ଥୁଆମୂଳ ସେ ରାମପୁର
ଯୁଗୁସାଇ ପାଟଣା ଲୋ ଜଙ୍ଗଲ ଘୋର ।
ସେ ଦୁଇ ସ୍ଥାନରେ ପୁଣି ପାଉତୁ ପୂଜା
ପୂଜନ୍ତି ତୋତେଲୋ ମାଆ ରାଜା ପରଜା ।
ତୋତେ ଭଜି ଭବଜଳୁ ହୁଅନ୍ତି ପାରି
ମାଣିକେଶ୍ବରୀ ଲୋ ମାଣିକେଶ୍ବରୀ ।
ଖମ୍ବ ପରି ରୂପ ତୋର ମସ୍ତକ ନାହିଁ
ପ୍ରତିବର୍ଷ ନୂଆ ମୁଣ୍ଡ ଲାଗି ହୁଅଇ ।
ମୂଳାଷ୍ଟମୀ ନିଶାର୍ଦ୍ଧର ବେଳ ନିର୍ଜନ
ଗୁପ୍ତପୂଜା ଆୟୋଜନ ହୁଏ ବହନ ।
ମାଟିରେ ନୂଆ ମସ୍ତକ ଗଢା ହୁଅଇ
ପୂଜାକରାଯାଏ ଫୁଲ ଚନ୍ଦନ ଦେଇ ।
ପୁରୁଣା ମୁଣ୍ଡକୁ କଢାଯାଇ ତକ୍ଷଣ
ଜଳରେତ କରାଯାଏ ତା ବିସର୍ଜନ ।
ନୂଆ ମାଟି ମୁଣ୍ଡ ତହିଁ ହୁଏ ରୋପଣ
ନବକଳେବର ହୁଏ ମାଆ ଙ୍କ ଜାଣ ।
ତାପରେତ ଅଭିଶେକ ବଳି ଅର୍ପଣ
ନୂଆ ରୂପରେ ତୁ ମାଆ ଦେଉ ଦର୍ଶନ ।
ଛିନ୍ନମସ୍ତା ବୋଲି ତେଣୁ ବିଦିତ ତୁହି
ମହିମାମୟୀ ଲୋ ତୋର ତୁଳନା ନାହିଁ ।
ଅଷ୍ଟମୀ ସକାଳେ ହୁଏ ଭାରି ଗହଳ
ନୂଆ ରୂପ ଦେଖିବାକୁ ଭକ୍ତେ ଆକୁଳ।
ଦୀପ ଆଲୁଅରେ ତୋର ଅପୂର୍ବ ରୁପ
ଦରଶନେ ଦୂରହୁଏ ଶୋକ ସନ୍ତାପ ।
ଭକତ ପାଇଁକି ଢାଳୁ କରୁଣା ବାରି
ମାଣିକେଶ୍ବରୀ ଲୋ ମାଣିକେଶ୍ବରୀ
ଛତର ଯାତରା ତୋର ଜଗତେ କ୍ଷାତ
ଠୁଳ ହୁଅନ୍ତି ଲୋ ଲକ୍ଷ ଲକ୍ଷ ଭକତ ।
ଆଶ୍ବିନ ଶୁକ୍ଳ ଅଷ୍ଟମୀ ଅଧ ରାତିରେ
ଛତର ହୁଅନ୍ତି ବିଜେ ଜେନା ଖାଲରେ ।
ନିଶାର୍ଦ୍ଧରେ ନିର୍ଜନରେ ଗୁପତ ପୂଜା
ଫରଫର ଉଡୁଥାଏ ତୋହରି ଧ୍ବଜା ।
ପୂଜାପରେ ହୁଏ ପୁଣି ଅର୍ପଣ ବଳି
ଲହଲହ ଜ୍ବିହା ମାଲୋ ତୁ ମହାକାଳି ।
ରାତି ପାହିଗଲେ ମହା ନବମୀ ପରା ଛତର ଯାତରା ତୋର ଦିଶଇ ତୋରା ।
ବାଜୁଥାଏ ଘଣ୍ଟ ଘଣ୍ଟା ବାଜେ ଘୁମୁରା
ଉଛୁଳି ପଡେ ଭବାନୀପାଟଣା ସାରା ।
ଢୋଲ ବାଜୁଥାଏ ପୁଣି ବାଜେ ଢେମସା
ଢାପ୍ ନାଚ ତାଳେତାଳେ ବାଜଇ ତାସା ।
ବିଭିନ୍ନ ରୂପରେ ବେଶ ଭକତ ତୋର
ନାଚୁଥାନ୍ତି ଭକତିରେ ହୋଇ ବିଭୋର ।
ପଶୁପକ୍ଷୀ ତୋ ଆଗରେ ପଡନ୍ତି ବଳି
ମନ୍ଦିର କୁ ତୋ ଛତର ଯାଆନ୍ତି ଚଳି ।
ବିଶ୍ୱାସ ର ଭାବଭକ୍ତି ଖେଳେ ଲହରୀ
ମାଣିକେଶ୍ବରୀ ଲୋ ମାଣିକେଶ୍ବରୀ ।
ନୂଆଖାଇ ମାଆ ତୋର ପରବ ବଡ
ଦେଉଳ ଦୁଆରେ ହୁଏ ଭକ୍ତ ଙ୍କ ଭିଡ ।
ଭୋଦୁଅ ଶୁକ୍ଳ ଦଶମୀ ଦିନରେ ଭାଇ
କଳାହାଣ୍ଡି ପାଳିଥାଏ ତା ନୂଆଖାଇ ।
ନୂଆ ଧାନ ଖଇ କ୍ଷୀର ଗୁଡ ପ୍ରସାଦ
ତୋ ପାଦରେ ଭକତିର ଶ୍ରଦ୍ଧା ନୈବେଦ୍ୟ ।
ଘରେଘରେ ହୋଇଥାଏ ପୂଜା ତୋହର
ସାନ ମାନେ ବଡଙ୍କୁ କରନ୍ତି ଯୁହାର ।
ନୂଆ ଚାଉଳରେ ରନ୍ଧା ହୁଅଇ କ୍ଷୀରୀ
ପ୍ରସାଦ ପାଆନ୍ତି ଡାକି ମା ମାଣିକେଶ୍ବରୀ ।
ଏ ଶୂଭ ଦିନରେ ନୂଆ ଘୁମୁରା ଦଳ
ରାତି ନପାହୁଣୁ ଦେଉଳେ ହୁଅନ୍ତି ଠୁଳ ।
ଆରମ୍ଭ କରନ୍ତି ତାଙ୍କ ବାଦ୍ୟ ବାଜଣା
ତୋ ଚରଣେ କଳାକାର କରି ମାଜଣା ।
ଘୁମୁରା ସେ ବୀରବାଦ୍ୟ ରଣ ହୁଙ୍କାର
ଆରମ୍ଭରେ ଗାଇଥାନ୍ତି ଗୁଣ ତୋହର ।
ଗୀତ ତାଳେତାଳେ ସବୁ ପାଦ ମିଳାଇ
ନାଚିଥାନ୍ତି ଭକ୍ତିରେ ତୋ ମହିମା ଗାଇ ।
କାଳେକାଳେ ଭରଷା ତୁ ମାଆ ସବୁରି
ମାଣିକେଶ୍ବରୀ ଲୋ ମାଣିକେଶ୍ବରୀ ।
ମଙ୍ଗଳବାର ଟି ତୋର ମଙ୍ଗଳମୟୀ
କୃପା କଟାକ୍ଷ ରେ ତୋର ରହିଛୁ ଚାହିଁ ।
ପାଇଦେଲେ ମାଆ ତୋର ପାଦୁକ ପାଣି
ଦୂର ହୁଏ ଅବସାଦ ମାଆ ଭକ୍ତ ରଙ୍କୁଣୀ ।
ସବୁ ଶୂଭକାମେ ଆଗ ତୋର ଅର୍ଚ୍ଚନା
ମାଟିରୁ ଆକାଶ ଗାଏ ତୋର ବନ୍ଦନା ।
ସାକାଳ ସଞ୍ଜରେ ତୋର ଶୂଭ ଆରତୀ
ମନେ ଭରିଦିଏ ମାଆ ଅପୂର୍ବ ଶାନ୍ତି ।
ଦେଉଳ ଦୁଆରେ ଭକ୍ତ ଦୀପ ଜାଳନ୍ତି
କିଏ ମାଗେ ଶାନ୍ତି କିଏ ମାଗଇ ମୁକ୍ତି ।
ଆଖି ରୁ କା ଝରୁଥାଏ ଲୋତକ ଧାର
ମାଆ ମାଆ କହି କିଏ ହୁଏ ଅଧୀର ।
ମମତାମୟୀ ଲୋ ମାଆ ସିନେହମୟୀ
ଦୟାକଲେ ପାପତାପ ଯାଏ ଲୋ ଧୋଇ ।
କବି କଳାକାର ଆଉ ପଣ୍ଡିତ ଯେତେ
ସବୁବେଳେ ଭଜୁଥାନ୍ତି ଚିତ୍ତ ରେତୋତେ ।
ସାରା କଳାହାଣ୍ଡି ମାଲୋ ପ୍ରଗଣା ତୋର
ସବୁରି ମୂଳରେ ତୋର ନାମଟି ସାର ।
ସଭିଙ୍କର ଡାକ ଶୁଣୁ ତୁ କାନ ଡେରି
ମାଣିକେଶ୍ବରୀ ଲୋ ମାଆ ମାଣିକେଶ୍ବରୀ ।