STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଲୁଣ୍ଠନର ଚିତ୍ରପଟ୍ଟ!

ଲୁଣ୍ଠନର ଚିତ୍ରପଟ୍ଟ!

2 mins
230

ଦଶନ୍ଧି ଦଶନ୍ଧିର ଲୁଟ୍ ପରେ ବି

ଭରି ନାହିଁ ସର୍ବଗ୍ରାସୀ ଉଦର

ଲିଭି ନାହିଁ ଜ୍ୱାଳା ଜଠରର

ଅନବରତ ଲୋଡ଼ା ତାକୁ ଅର୍ଥର ଆହାର

ଚାଲୁଛି ଚାଲିଛି ସେଇ ଚିରାଚରିତ

ଝିଣ୍ଟିକା ମାରି ବଣି ପୋଷିବା ବ୍ଯାପାର

ଦୁର୍ବଳ ଉପରେ ସବଳର ଅତ୍ୟାଚାର

ଅଭାବୀ ପେଟକୁ ଛଳରେ ଦିଏ ପାହାର

ଏଠି ସଭିଏଁ ନିଶ୍ଚୁପ ନିର୍ବିକାର

ତୁଣ୍ଡ ଖୋଲେନା କାହାର

ମୋର ତ ଏଇ କାମ ନୁହେଁ

ତୁଛା କର୍ଦ୍ଦମାକ୍ତ ହୋଇବ ପୟର।

ଲଢି଼ବା ପାଇଁକି ଯେତେ ନିର୍ବାଚନ

ଲୋଡ଼ା ଯେଉଁ ସମ୍ବଳ ସଂସାଧନ

ଲୁଣ୍ଠନ ଶୋଷଣ ଉତ୍ପୀଡ଼ନ ବିହୁନେ

କେଉଁଠୁ ଅବା ହୋଇବ ଆହରଣ?

ଶୋଷଣର ଅନ୍ଯନାମ ବିଜୁଳି ପ୍ରଶାସନ

ଟାଟା ଶକ୍ତି ତ ମାଧ୍ୟମ ମାତର

ସେବା ନାମରେ କରନ୍ତି ଉତ୍ପୀଡ଼ନ

ମୌଳିକ ଅଧିକାରର ଉଲ୍ଲଂଘନ

ଲୁଣ୍ଠନର ଅଲିଖିତ ଅଦୃଶ୍ୟ ରାଜିନାମା

ଲୁଟିବାକୁ ହେଉଛି କେତେ ନୂଆ ବାହାନା

କାଳେ କାଳେ ମାରିନେବେ ମହାପାତ୍ରେ

ଚାହିଁଥିବେ ଜଳକା ନୀତି ତ ତର୍କସିଦ୍ଧ

ଏ ଯୁଗରେ କି ହୋଇବ ଏଥିରେ ବିଭ୍ରାଟ?

ମଣିଆରେ ତୁ ସବୁ ଦେଖୁଥାଆ

ସବୁ ବୁଝୁଥାଆ କାନ୍ଦିବୁ ବା କିଆଁ?

ତୋ ଭାଗ ନେଇ ତୁ ବାନ୍ଧୁଥାଆ

ତୋର ମଳିଛଆ ସାତସିଆଁ ଗାମୁଛାରେ

ଟଙ୍କିକିଆ ଚାଉଳ ପାଞ୍ଚ ଟଙ୍କିଆ ଆହାର

ବଢୁଥାଉ ପଛେ ବିଜୁଳି କି ତେଲ ଦର

ତୋର ଅବା କି ଯାଉଛି ସେଥିରେ?

ତୋ ଭାଗ ପାଇ ତୁ ଥାଆ ଖୁସିରେ

ତୁ ତ ଗେହ୍ଲାପୁଅ ଏ ସରକାରର

ତୁ ପରା ସବୁଥିରେ ଭାଗୀଦାର

ତୋ ପାଇଁ ଯୋଜନା ମାଳ ମାଳ

ତଥାପି ତୋ ମୁଣ୍ଡ ନୁଖୁରା

ଭଙ୍ଗା ଦଦରା ତୋ ଘରଦୁଆର।

ପ୍ରଭାବଶାଳୀ ମୁନାଫାଖୋର ପୁଞ୍ଜିପତି ଠୁ

କରିବାକୁ ବକେୟା ଆଦାୟ କୋଟି କୋଟିର

ଲାଗୁଅଛି ବିଜୁଳି ପ୍ରଶାସନକୁ ଡର

ମାର ମାର ଭଣ୍ଡାରିଆକୁ ମାର

ଘାଣ୍ଟି ଚକଟି ହୁଅନ୍ତୁ ଯେତେକ ମଝିମଝିଆ

ତଥାକଥିତ ଆତ୍ମଘୋଷିତ ମଧ୍ଯବିତ୍ତ

ନା ଏକୂଳର ହେବେ ନା ସେକୂଳର

ନା ପାତି ପାରିବେ ହାତ କାହା ଆଗରେ

ନା ହୋଇ ପାରିବେ ସଂଗଠିତ ହେଳାରେ

ତାହାଙ୍କ ପାଇଁ ତ ସମୟର ଘୋର ଅଭାବ

ଭରୁ ଥାଆନ୍ତୁ ରାଜକୋଷ ଲହୁରେ ଲୁହରେ

ଚାଲିଥାଉ ଏମିତି ଲୁଣ୍ଠନର ମହୋତ୍ସବ

ବାର ବାର ବାରମ୍ବାର ପୌନଃପୁନିକ ରୀତିରେ।

©ସମ୍ବିତ୍ ଶ୍ରୀକୁମାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract