ରୁଦ୍ରଲୀଳା
ରୁଦ୍ରଲୀଳା
ଯୋଗ ଆସନରେ ଲୀନ ରୁହ ତୁମେ
ଭୋଳାନାଥ ମହାଦେବ
ଶ୍ମଶାନରୁ ଭସ୍ମ ଆସେ ତୁମ ପାଇଁ
ଶରୀରରେ ବୋଳାହେବ |
ଏକଦା ଭସ୍ମକୁ ଶରୀରରେ ଲେପ
କରୁଥିବା ସମୟରେ
ଭସ୍ମର ଛୋଟିଆ କଣିକାକୁ ତୁମେ
ପକାଇଦେଲ ମାଟିରେ |
ସେଥିରୁ ପ୍ରକଟ ହୋଇଲା ଅସୁର
ନାମ ଦେଲ ଭସ୍ମାସୁର
ଭସ୍ମର ସନ୍ଧାନେ ବାହାରିଗଲା ସେ
ସେବକ ହୋଇ ତତ୍ପର |
ଅସୁରଙ୍କ ସହ ଭେଟ ହୋଇ ତାର
ହଜିଗଲା ସବୁ ମତ୍ତି
ଶିବଙ୍କ ପାଖରୁ ବର ଯଦି ମାଗେ
ତିନିଲୋକ ଯିବ ଜିତି |
ପହଁଚିଲା ଯାଇ ଶିବଙ୍କ ପାଖରେ
କହେ ହେ ଭୋଳାଶଙ୍କର
ସେବକ ମୁଁ ଯଦି ହୋଇଥାଏ ତୁମ
ଦିଅ ଯାଚି ମୋତେ ବର |
ଯାହାର ମୁଣ୍ଡରେ ହାତ ଦେବି ଥୋଇ
ସିଏ ଯିବ ଭସ୍ମ ହୋଇ
ମନବାଞ୍ଛା ତାର ପୂରଣ କରିଲ
ଲୀଳାର ମାଧ୍ୟମେ ଯାଇ |
ଚହଳ ପଡିଲା ତିନିଭୁବନରେ
ଏକି କଲେ ମହାଦେବ
ଏମିତି ବରକୁ ପାଇଲେ ଅସୁର
ସଙ୍କଟ ନିଶ୍ଚେ ଆସିବ |
ନାରୀ ପ୍ରତି ତାର ଆଶକ୍ତି ବଢିଲା
ସବୁଠୁ ଯିଏ ସୁନ୍ଦର
ତିନିଭୁବନର ବିଜେତା ପାଇବ
ରାଣୀ ସେ ହେବ ମୋହର |
ପାର୍ବତୀ ମାଆଙ୍କ
ଐଶର୍ଯ୍ୟ ରୂପକୁ
ଯେବେ ଦେଖେ ଭସ୍ମାସୁର
ରାଣୀ ହେବ ତୁମେ ମୋର ହେ ସୁନ୍ଦରୀ
କହିଲା ତୁମ ଆଗର |
କ୍ରୋଧରେ ବିନାଶ କରିବାକୁ ଯେବେ
ବାହାରିଲ ଅସୁରକୁ
କରିଲା ଓଲଟା ଆକ୍ରମଣ ସିଏ
ରକ୍ଷା କରିଲ ନିଜକୁ |
ବୃକ୍ଷର ରୂପରେ ନିଜକୁ କରିଲ
ଅନ୍ୟ ଉପାୟ ନ ପାଇ
ଖୋଜିଲା ଅସୁର ଚାରିଆଡେ ଯାଇ
ତାକୁ ତୁମେ ନ ମିଳଇ |
ଏମିତି ଦୃଶ୍ୟକୁ ନାରଦ ଦେଖିଣ
ପହଞ୍ଚେ ବିଷ୍ଣୁ ପାଖରେ
କୁହନ୍ତି ଘଟୁଛି ଏକି ଅଘଟଣ
ଭୋଳାନାଥଙ୍କ ସାଥିରେ |
ବିଷ୍ଣୁ ନାରଦଙ୍କୁ କୁହନ୍ତି ବୁଝାଇ
ଏହା ଶିବଙ୍କର ଲୀଳା
ମାଙ୍କଡ଼ ହାତରେ ଶାଳଗ୍ରାମ ଦେଲେ
ଏମିତି ହୋଇବ ଖେଳା |
ମୋହିନୀ ରୂପକୁ ଧାରଣ କରିଣ
ବିଷ୍ଣୁ ଗଲେ କଇଳାସ
ଅପୂର୍ବ ରୂପକୁ ଦେଖି ଭସ୍ମାସୁର
ମନରେ ବଢିଲା ଶୋଷ |
ମୋହିନୀକୁ ଯଦି ବିବାହ କରିବ
ମାନିବ ଆମର ରୀତି
ନୃତ୍ୟରେ ପରାସ୍ତ କରି ମତେ ତୁମେ
ହୋଇବ ଯେମିତି ଅତି |
ମୋହିନୀ ମାୟାରେ ପଡି ଭସ୍ମାସୁର
ତାଳେ ତାଳେ ନାଚିଗଲା
ନିଜ ମସ୍ତକରେ ନିଜ ହାତ ଥୋଇ
ଜଳି ଭସ୍ମ ହୋଇଗଲା |