ମୁକ୍ତ ବିହଙ୍ଗ
ମୁକ୍ତ ବିହଙ୍ଗ
ପକ୍ଷୀଟି ଆକାଶେ ଉଡିବାର ଦେଖି
ଆନନ୍ଦିତ ହୁଏ ମନ
ପୁଣି କେତେବେଳେ ଖୁସି ଭାରି ଲାଗେ
ସ୍ୱର ଶୁଣେ ଯେବେ କାନ |
ଦୋଷୀ ହେଲେ କିଏ ଦଣ୍ଡ ଦିଆଯାଏ
ରହେ ସିଏ କାରାଗାରେ
ନିରୀହ ପକ୍ଷୀକୁ କେଉଁ ଦୋଷ ପାଇଁ
ରଖାଯାଏ ପଞ୍ଜୁରୀରେ |
ଖୋଲା ଆକାଶର ଛାତିକୁ ଚିରି ସେ
ଉଡୁଥାଏ ଡେଣା ମେଲି
ବୃକ୍ଷର ଶାଖାରେ ଘର ତା ସୁନ୍ଦର
ଯାହା ଇଚ୍ଛା ଖାଏ ବୁଲି |
ସୁନାର ପଞ୍ଜୁରୀ ତାକୁ ଲୋଡ଼ା ନାହିଁ
ଲୋଡ଼ା ନାହିଁ ସୁନା ଗିନା
ଯିବାକୁ ଚାହିଁଲେ ଯେଉଁଠି ସେ ଯିବ
ଯଦି ହୁଏ ତାକୁ ମନା |
ଘରଠାରୁ ଯଦି କିଛି ଦିନ ପାଇଁ
ଦୂରରେ ରହୁଛେ ଆମେ
କେତେ ଚିନ୍ତା ହୁଏ ପରିବାର ପାଇଁ
ମନ ନ ଲାଗଇ କାମେ |
ଥରୁଟେ ଭାବିଲ ସେ ପକ୍ଷୀର କଥା
ଯାହାକୁ ରଖିଛ ବାନ୍ଧି
ଜିଇଁବାର ଆଶା ନ ଥିବ ତା ପାଖେ
କେମିତି କରିବ ସନ୍ଧି |
କହି ପାରୁଥିଲେ ମନର ବେଦନା
କହି ଦିଅନ୍ତେ ଆମକୁ
ଯେତେ ଖୁସି ଦିଅ ପଞ୍ଜୁରୀ ଭିତରେ
ଝୁରେ ମୋ ପିଲାଛୁଆକୁ |
ଗୋଟିଏ ଗଛରୁ ଆଉ ଗୋଟେ ଗଛ
ଉଡିବା ତାଙ୍କର ଧର୍ମ
ତାଙ୍କୁ ବାନ୍ଧି ଆମେ କି ସୁଖ ପାଉଛେ
ଏହା କି ଆମର କର୍ମ |
ମୁକ୍ତ କରିଦିଅ ମୁକ୍ତ ବିହଙ୍ଗକୁ
ମୁକ୍ତ ଆକାଶର ତଳେ
ମୁକ୍ତ ହେଇଯାଉ ବନ୍ଦୀ ଜୀବନରୁ
ଯାଉ ପରିବାର କୋଳେ |