ସ୍ନାନ ମଣ୍ଡପରେ ଶ୍ରୀ ଜୀଉ
ସ୍ନାନ ମଣ୍ଡପରେ ଶ୍ରୀ ଜୀଉ
ସ୍ନାନ ମଣ୍ଡପ ରେ ଶ୍ରୀ ଜୀଉ
ଜଗତର ନାଥ ପ୍ରଭୁ ଜଗନ୍ନାଥ
ଜ୍ୟେଷ୍ଠ ମାସ ପୂର୍ଣ୍ଣମୀରେ
ସ୍ନାନ କରିବାକୁ ଆସନ୍ତି ଓହ୍ଲାଇ
ଭାଇ ଭଉଣୀ ସଙ୍ଗରେ।
ବୟାଳିଶି ଦିନ ଚାପ ଖେଳ ସାରି
ଘୋର ଗ୍ରୀଷମ କାଳରେ
ଚନ୍ଦନ ଲଗାଇ ଦେହକୁ ଶୀତଳ
ଚାପ ଖେଳ ନରେନ୍ଦ୍ରରେ।
ସାତ ପାହାଚରେ ଟାହିଆ ବାନ୍ଧିଣ
ଝୁଲି ଝୁଲି ଆସୁଥାନ୍ତି
ସେ ରୁପକୁ ଭକ୍ତମାନେ ଆନନ୍ଦରେ
ଦର୍ଶନ କରିଥାଆନ୍ତି।
ଧାଡି ପହଣ୍ଡିରେ ଆସନ୍ତି ଠାକୁରେ
ଦିଶୁଥାନ୍ତି ଶୋଭାବନ
ସ୍ନାନ ମଣ୍ଡପକୁ ଯାଆନ୍ତି ଆନନ୍ଦେ
ହୁଏ ମଙ୍ଗଳା ଅର୍ପଣ।
ଶହେ ଆଠ କୁମ୍ଭ ଜଳରେ ସ୍ନାହାନ
କରନ୍ତି ଚତୁର୍ଦ୍ଧା ମୂର୍ତ୍ତି
ଚୁଆ, ଚନ୍ଦନ, ଅଗୁରୁ, ହରିତାଳି
ବାହାଡା ଓ ଅମଳକି।
ଅଷ୍ଟବନ୍ଧ, ଉଶିର ଓ ଦେବଦାରୁ
ତାମ୍ରପର୍ଣ୍ଣି, ସୋମ ପର୍ଣ୍ଣି
ଲୋଧା, ସଞ୍ଚିଷ୍ଟା, ମୁଥା ଏହିପରି
ସୁଗନ୍ଧ ସୁବାସ ଭରି
ପବିତ୍ର ସୁନା କୂଅରୁ ଆସେ ଜଳ
ପ୍ରଭୁଙ୍କ ସ୍ନାହାନ ଲାଗି
ଅନ୍ୟବେଳେ ହୁଏ ନାହିଁ ବ୍ୟବହୃତ
କେବଳ ପ୍ରଭୁଙ୍କ ଲାଗି।
ଶହେ ଆଠ କୁମ୍ଭ ଜଳ ଆସେ ନୂଆ
ବସ୍ତ୍ରରେ ଆବୃତ୍ତ ହୋଇ
ମେକାପଙ୍କ ହାତୁ ପୂଜା ପଣ୍ଡା ନ୍ୟନ୍ତି
ପ୍ରଭୁଙ୍କ ସ୍ନାନ ହୁଅଇ।
ଜଳ ଆସିଲା ପରେ ସୁନା କୂଅରେ
ଢାଙ୍କୁଣି ଯେ ପକା ହୁଏ
ଆର ବର୍ଷ ଜ୍ୟେଷ୍ଠ ଚତୁର୍ଦ୍ଦଶୀ ଦିନ
ପରିଷ୍କାର କରାଯାଏ।
ଜଗନ୍ନାଥଙ୍କର ପଇଁତିରିଶି କୁମ୍ଭ
ବଳଭଦ୍ର ଯେ ତେତିଶି
ସୁଦର୍ଶନଙ୍କର ଅଠର କୁମ୍ଭ ଯେ
ସୁଭଦ୍ରା ଏକତିରିଶି
ସ୍ନାନ ପରେ ମହାପ୍ରଭୁଙ୍କୁ ଫୁଲରେ
ସୁବେଶ କରିଥାଆନ୍ତି
ତିଳକ, ନାକ ଚଣା, ତୁଳସୀମାଳରେ
ସଜ୍ଜିତ ହୋଇଥାନ୍ତି
ରାଘବ ଦାସ ମଠରୁ ସୁଭଦ୍ରାଙ୍କ
ଚୁଳ, ଚନ୍ଦ୍ରିକା ଓ ଛତ୍ରୀ
ଗୋପାଳ ତୀର୍ଥ ମଠରୁ ମହାପ୍ରଭୁ
ଗଜାନନ ବେଶ ହୁଅନ୍ତି।
ଗଜାନନ ବେଶ ଦେଖିଲେ ମନୁଷ୍ୟ
ମୋକ୍ଷ ପ୍ରାପ୍ତି ପାଇଥାଏ
ସକଳପାତକ ହୁଅଇ ହରଣ
ବୈକୁଣ୍ଠରେ ସ୍ଥାନ ପାଏ।
କଥିତ ଅଛି ଗଣପତି ଭଟ୍ଟ
ନାମରେ ଏକ ଭକ୍ତ ଥିଲା
ଗଜାନନ ବେଶ ଦର୍ଶନ କରିଣ
ପ୍ରଭୁଙ୍କ ଭକ୍ତ ହୋଇଲା।
ସ୍ନାନ ମଣ୍ଡପରେ କାଳିଆ ଠାକୁର
ହୋଇ ଗଜାନନ ବେଶ
ଭକ୍ତ ମାନଙ୍କୁ ସେ ଦର୍ଶନ ଦେଇଣ
ହରଣ କରନ୍ତି କ୍ଳେଶ।
ଗଜାନନ ବେଶ ହୋଇ ମହାପ୍ରଭୁ
ଦିଶୁଥାନ୍ତି ଶୋଭାବନ
ସୁନ୍ଦର ବେଶରେ ଜଗତ ଜନଙ୍କୁ
ଦେଇଥାନ୍ତି ଦରଶନ।
ଧନ୍ୟ ଧନ୍ୟ ପ୍ରଭୁ କାଳିଆ ସାଆନ୍ତ
ଲୀଳା ଖେଳା ନାହିଁ ଅନ୍ତ
ଚରଣ ତଳରେ ଶରଣ ପଶିଲି
ଉଦ୍ଧାର ହେ ଜଗନ୍ନାଥ।
