ରାମ ନବମୀ
ରାମ ନବମୀ
ରଘୁକୁଳମଣି ଶ୍ରୀରାମ ଦଶରଥ ଆତ୍ମଜ
ଲକ୍ଷ୍ମଣ ଭରତ ଶତୃଘ୍ନଙ୍କର ଥିଲେ ଅଗ୍ରଜ ।
ଅଜ ଆତ୍ମଜ ଦଶରଥ ପୁତ୍ରେଷ୍ଟି ଯଜ୍ଞ କଲେ
ଯଜ୍ଞପୁରୁଷ ସ୍ବୟଂ ଚରୁ ଧରି ପ୍ରକାଶ ହେଲେ ।
କୌଶଲ୍ୟା କୈକେୟୀ ସୁମିତ୍ରା ରାଣୀ ଚରୁ ପାଇଲେ
ତିନି ରାଣୀଙ୍କ ଗରଭରୁ ଚାରି କୁମର ହେଲେ ।
କୌଶଲ୍ୟାଙ୍କ ଗର୍ଭୁ ଜନ୍ମିଲେ ରାମ କୈକେୟୀ ଗର୍ଭୁ
ଜନ୍ମିଲେ ଭରତ ଲକ୍ଷ୍ମଣ ଜାତ ସୁମିତ୍ରା ଗର୍ଭୁ ।
ଶତୃଘ୍ନ ଲକ୍ଷ୍ମଣ ଯମଜ ଭାଇ ହୋଇଲେ ଜାତ
ଶ୍ରୀରାମ ନବମୀ ଦିନରେ ସର୍ବେ ହେଲେ ସମ୍ଭୂତ ।
ଚଇତ୍ର ଶୁକଳ ନବମୀ ଗୁରୁବାର ମଧ୍ୟାହ୍ନେ
ପୁନର୍ବସୁ ନାମ ନକ୍ଷତ୍ର ଜନ୍ମ କର୍କଟ ଲଗ୍ନେ ।
ଉତ୍ସବମୁଖର ଅଯୋଧ୍ୟା ପୁରୀ ହେଲା ଉଷତ
ଧରମ ରକ୍ଷଣ କାରଣେ ରାମ ହୋଇଲେ ଜାତ ।
ବିପ୍ରପ୍ରିୟ ରାମ ସୀତୟାପତି ଧାର୍ମିକ ବୀର
ରଘୁପତି ରାଜେନ୍ଦ୍ର ସତ୍ଯସନ୍ଧ ଶାନ୍ତ ମୂରତି ଧୀର ।
ଲୋକ ଅଭିରାମ ଶ୍ରୀରାମ ରାକ୍ଷସଙ୍କ ବଇରି
ରାବଣ ବଧି ବିଭୀଷଣେ ଲଙ୍କା ରାଜନ କରି ।
କୀରତି ସ୍ଥାପିଲେ ଧରାରେ ହେଲା ରାମ ରାଇଜ
ରାମ ରୋମେ ରୋମେ ବସନ୍ତି ପରମାନନ୍ଦ ଅଜ ।
ରାମ ନବମୀରେ ରାମଙ୍କ ବ୍ରତ ପୂଜନ କରି
ତରନ୍ତି ଭକତେ ରାମଙ୍କ ନାମ ଭଜନ କରି ।
ତୁଣ୍ଡେ ରହିଥାଉ ଶ୍ରୀରାମ ନାମ ଗୋଟିକ ମୋର
କି କରିବ କାଳ ଯମ ସେଥିକି ନାହିଁ ଖାତର ।
