STORYMIRROR

Pratima Satpathy

Classics

4  

Pratima Satpathy

Classics

ମହାପ୍ରଭୁ ଙ୍କର ଗଜାନନ ବେଶ.

ମହାପ୍ରଭୁ ଙ୍କର ଗଜାନନ ବେଶ.

1 min
262


 କୋଟି କୈବଲ୍ୟ ନାଥ ସେ ଜଗନ୍ନାଥ

     ବସି ରତ୍ନ ସିଂହା ସନେ

ଭିନ୍ନ, ଭିନ୍ନ, ରୂପେ ଭକ୍ତଙ୍କୁ ଦର୍ଶନ

     ଦିଅନ୍ତି ଆନନ୍ଦ ମନେ.

ନାନା ବେଶେ ପ୍ରଭୁ ସଜ୍ଜିତ ହୋଇଣ

    ଦିଶନ୍ତି ଭାରି ସୁନ୍ଦର

ସ୍ନାନ ମଣ୍ଡପରେ ଗଜାନନ ବେଶ

   ଦିଶୁଥାଏ ମନୋହର.

ସ୍ନାନ ପୂର୍ଣ୍ଣମୀର ସ୍ନାନ ଅନ୍ତେ ପ୍ରଭୁ

    ଗଜାନନ ବେଶ ହୋଇ

ଭକ୍ତ ମନୋରଥ କରିଥିଲେ ପୂର୍ଣ୍ଣ

   କିମ୍ବଦନ୍ତୀ ଅଛି ରହି.

ଗଣପତି ଭଟ୍ଟ,ମହାରାଷ୍ଟ୍ର ରାଜ୍ୟୁ 

   ଯାଇଥିଲେ ବୁଲି ପୁରୀ

ସେଠାରେ ବ୍ରହ୍ମଙ୍କୁ କରିବେ ଦର୍ଶନ

   ଭକ୍ତିରଭାବକୁ ଧରି.

ସ୍ନାନ ମଣ୍ଡପରେ ଦେଖି ଜଗନ୍ନାଥ

   ମନ ଦୁଃଖେ ଫେରି ଆସି

କହିଲେ ଏଠାରେ ବ୍ରହ୍ମ ନାହାନ୍ତି ଯେ

    ଅଧା ବାଟେ ଗଲେ ବସି.

ଭକ୍ତ ମନ ଦୁଃଖ ସହି ପାରିଲେନି

   ଭକତ ବତ୍ସଳ ହରି

ଭକ୍ତଙ୍କୁ କହିଲେ ତୁମେ ଆସ ସ୍ନାନ

   ମଣ୍ଡପ ପାଖକୁ. ଫେରି.

ଦେଖିବ ତୁମର ଇପ୍ସିତ ଦେବତା

    ଶୁଣିକରି ଗଣପତି

ସ୍ନାନ ମଣ୍ଡପକୁ ଆସିଣ ଫେରି ସେ 

    ଗଜାନନ ଙ୍କୁ ଦେଖନ୍ତି.

ଧନ୍ୟ ଧନ୍ୟ ପ୍ରଭୁ ଜଗନ୍ନାଥ ତୁମେ

   ସ୍ୱୟଂ ପରଂବ୍ରହ୍ମ ହରି

ଗଜାନନ ବେଶ କରିଲି ଦର୍ଶନ

   ଜୀବନ ଧନ୍ୟ ମୋହରି.

ତୋଷ ହୋଇ. ଜଗନ୍ନାଥ କହିଲେ ଯେ

   ମାଗିନିଅ ତୁମେ ବର

ଗଣପତି ବୋଲନ୍ତି ହେ ଜଗନ୍ନାଥ

   ମିନତି ଘେନ ମୋହର.

ପ୍ରତିବର୍ଷ ଏହି ସ୍ନାନ ପୂର୍ଣ୍ଣମୀରେ

   ହେବ ପ୍ରଭୁ ଏହି ବେଶ

ମୋର ମନ ବାଞ୍ଛା କରିବ ପୂରଣ

   ହେ ପ୍ରଭୁ ଆଦି ଦେବେଶ.

ହଉ ବୋଲି ଆଜ୍ଞା ଦେଲେ ମହାପ୍ରଭୁ

   ସେଦିନୁ ଏବେଶ ହୁଏ

ଭକ୍ତ ମାନେ ଦରଶନ କରନ୍ତି ଯେ

     ପାପ ତାପ. କ୍ଷୟ ଯାଏ.

 ସ୍ନାନ ପରେ ଛେରା ପହଁରା କରନ୍ତି

      ଆସିରାଜା ଗଜପତି

ତାପରେ ମହାପ୍ରଭୁ ଗଜାନନ ବେଶ ରେ

    ସଜ୍ଜିତ ହୋଇ ଥାଆନ୍ତି.

ବଳଭଦ୍ର, ସୁଦର୍ଶନ ପାଇଁ ବେଶ

    ଗୋପାଳ ତୀର୍ଥ ମଠରୁ

ଜଗନ୍ନାଥ ଆଉ ଭଉଣୀ. ସୁଭଦ୍ରା

    ରାଘବ ଦାସ ମଠରୁ.

ଧଳା ହାତୀ ବେଶେ. ସଜାଇ ହୁଅନ୍ତି

    ବଡ଼ ଭାଇ ବଳରାମ

କଳା ହାତୀ ବେଶ ଧରି ଜଗନ୍ନାଥ

   ହରନ୍ତି ଭକ୍ତଙ୍କ ମନ.

ମାତା ସୁଭଦ୍ରା ଦେଵୀ ପଦ୍ମ ବେଶରେ

   ଦିଶନ୍ତି ଭାରି ସୁନ୍ଦର

ଗଜାନନ ବେଶ ଦେଖିଲେ ଭକ୍ତଙ୍କ

   ନାଚି ଉଠଇ ଅନ୍ତର.

 ବିଦ୍ୟା, ବୁଦ୍ଧି, ଜ୍ଞାନ ଦାତା ଶ୍ରୀ ଗଣେଶ

    ସ୍ୱୟଂ ପ୍ରଭୁ ଜଗନ୍ନାଥ.

ସ୍ନାନ ମଣ୍ଡପ ରେ ଦର୍ଶନ କରିଲେ

   ଜନ୍ମ ହୁଅଇ କୃତାର୍ଥ.

ଜୟ ଜଗନ୍ନାଥ ଅନାଥର ନାଥ

    ଶରଣ ରକ୍ଷଣ ହରି

ତୁମ ନାମ ଧରି ସଂସାର ସାଗର

   ହୋଇଯାଏ ପ୍ରଭୁ ପାରି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics