ଏତିକି ଗୁହାରି କରେ
ଏତିକି ଗୁହାରି କରେ
ସକାଳ ସୂରୁଜ ଉଠିନି ଏଯାଏଁ
ଜଳୁଛି ବିଜୁଳିବତି,
ତୁମ ଇଙ୍ଗିତରେ ପୂରୁବ ଦିଗରୁ
ବିଚ୍ଛୁରିତ ହୁଏ ଜ୍ୟୋତି ।
ତୁମରି ପ୍ରକାଶ ପ୍ରଭୁ !
ତୁମେ ହିଁ ସୂର୍ଯ୍ୟଙ୍କ କିରଣ ହେ ନାଥ !
ତୁମରି ଆଲୋକ ସବୁ ।
ଆଉ ଟିକେ ପରେ ପଣ୍ଡା ପଢିଆରୀ
କରିବେ ଗହଳି ଆସି,
"ଉଠ ହେ ମଣିମା !" ଡ଼ାକ ଛାଡୁଥିବେ
"ପାହିଲାଣି ପରା ନିଶି" ।
ସିଂହଦ୍ଵାର ହେବ ଭିଡ଼,
ତୁମ ଇଚ୍ଛା ବିନା କେ ଯାଇ ପାରିବ ?
ଖାଇବାକୁ ବେଦ ମାଡ଼ ।
କେଉଁ ଜନମର ପୂଣ୍ୟକର୍ମ ପାଇଁ
ମିଳିଛି ତୁମ ଦର୍ଶନ,
ରତ୍ନ ସିଂହାସନେ ଦେଖି ସ୍ଵୟଂବ୍ରହ୍ମ
ଜୀବନ ହୋଇଛି ଧନ୍ୟ ।
ହେ ପ୍ରଭୁ ! କରୁଣା ସିନ୍ଧୁ,
ତୁମରି ଦୟାରେ ଭରିଛି ଜୀବନ
ହେ ଦାତା !, ହେ ପ୍ରାଣବନ୍ଧୁ !
ଅନେକ ସହିଛି ଜୀବନ ଯାତନା
ସେଥିପାଇଁ ଦୁଃଖ ନାହିଁ,
ସଂସାରରେ ମୋର ନୁହେଁ ନିଜ ମନ
କା' ଆଗେ କହିବି ଯାଇଁ ?
ସରି ଆସିଲାଣି ଦିନ,
ଭରସା କରିଛି ତୁମରି କରୁଣା
ହେ ନାଥ ! ଚକାନୟନ ।
ପ୍ରତି ସକାଳରେ ତୁମରି ଭାବନା
ଭରୁ ମୋର ମନ, ପ୍ରାଣ,
ପୁଲକିତ ହେଉ ତୁମରି ଦର୍ଶନେ
ଏ ଦୀନ,ହୀନ ଜୀବନ ।
ଏତିକି କରୁଣା ହେଉ,
ତୁମରି ଚେତନା ଜାଗୁ ଏ ପରାଣେ
ଆଖିରେ ମୋ ଲୁହ ଥାଉ ।
କୋଟିଏ ପ୍ରଣାମ ଜଗତର ନାଥ !
ଅଯାଚିତ ଦାନ ପାଇଁ,
ଆଉ ଟିକେ ଯୋଗ୍ୟ କରାଅ ମାଲିକ !
ତୁମରି ଆଶିଷ ପାଇଁ ।
ଭାବନାରେ ଆସ ଥରେ,
ଅପସରି ଯାଉ ସକଳ ଯାତନା
ଏତିକି ଗୁହାରି କରେ ।
