ବିଶ୍ୱ ପଖାଳ ଦିବସ ଉପଲକ୍ଷେ
ବିଶ୍ୱ ପଖାଳ ଦିବସ ଉପଲକ୍ଷେ
ମାର୍ଚ୍ଚ ମାସର କୋଡିଏ ତାରିଖ
ଅଟେ ପଖାଳ ଦିବସ
ଦୁଇହଜାର ପନ୍ଦର ମସିହାରୁ
ପାଳୁଛି ଏହାକୁ ବିଶ୍ୱ ।
ଓଡ଼ିଆ ମାନଙ୍କ ଅତି ପ୍ରିୟ ଖାଦ୍ୟ
ଅଟଇ ପଖାଳ ଭାତ
ଟଙ୍କ ତୋରାଣିକୁ ନୀଳାଚଳ ଧାମେ
ଆନନ୍ଦେ ପିଏ ଭକତ ।
ଆଳୁ, ସାରୁ, ବାଇଗଣ ପୋଡା ସାଙ୍ଗେ
ପଡ଼ିଥିଲେ ବଡି ଭଜା
ଧଣିଆ ପତ୍ର ଓ କଞ୍ଚା ଲଙ୍କା ଲୁଣ
ଖାଇବାର ଆସେ ମଜା ।
ଶାଗ ଭଜା ଆଉ ପାମ୍ପଡ ଭଜା ଟି
ତା ସାଙ୍ଗରେ ଯଦି ଥାଏ
ଦହି, ଲେମ୍ବୁ ସାଥେ କଲରା ଚିପସ
ଖାଇବା ଶହେ ରୁ ଶହେ ।
ଆମ୍ବ କଷି ନସୀ, ଛତୁପୋଡା, ସାଙ୍ଗେ
ମାଛ, କି ଶୁଖୁଆ ଥିଲେ
ପଖାଳ ଭାତର ମଜାନେଉଥିବ
ଚେନାଚୁର, କାକୁଡିରେ ।
ଜୀବନ ଧନ ମୋ ପଖାଳ କଂସାର
ଗୀତ ବାଳକୃଷ୍ଣ ଦାସ
ସୁନ୍ଦର ସ୍ୱରରେ ଗାଇଥିଲେ ତାହା
ରହିଛି ଜନ ମାନସ ।
ଗ୍ରୀଷ୍ମ ଋତୁରେ ଯେ ପଖାଳ ଭାତ ଟି
ଦେହ ପାଇଁ ଅଟେ ହିତ
ପେଟ ଥଣ୍ଡା ରଖେ ଖରା ବାଧେ ନାହିଁ
ଡରିଯାଏ ଅଂଶୁଘାତ ।
ସକାଳ ଗାଧୁଆ ଓ ପଖାଳ ଖିଆ
ଦେହରେ ଯାହାର ଯାଏ
ଏହି ଦୁନିଆଁ ରେ ସବୁଠାରୁ ବଡ଼
ଭାଗ୍ୟବାନ ବ୍ୟକ୍ତି ସିଏ ।
ଦିଲ୍ଲୀ ରୋଷଘରେ ଆମ ରାଷ୍ଟ୍ରପତି
ଓଡ଼ିଆ ରୋଷେଇ ଖୋଇ
ବିଦେଶୀ ଅତିଥି ମାନଙ୍କର ମନ
ନେଇଥିଲେ ପରା ମୋହି ।
ପିଜା, ବର୍ଗର ଓ ଚାଓ ମିନ ଭୁଲି
ଓଡ଼ିଆ ଖାଦ୍ୟକୁ ଖାଇ
ପ୍ରଂଶସା କରିଲେ ଧନ୍ୟ ହୋଇଗଲା
ଆମରି ଓଡିଶା ଭୂଇଁ ।
ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ
କହୁଛି ଗୋଟିଏ କଥା
ଯେଉଁଠାରେ ରୁହ ଓଡ଼ିଆ ଜାତିର
ରଖିବ ଗାରିମା ଗାଥା ।
