ଶରଣ ପଦ୍ମଚରଣ
ଶରଣ ପଦ୍ମଚରଣ
ଭାବର ବନ୍ଧନେ ବାନ୍ଧିଦେ କେଶବ
ମାଧବ ମଧୁସୂଦନ
ଯମୁନା କୂଳରେ କଦମ୍ବ ମୂଳରେ
ଉଚ୍ଚାଟୁ ବଂଶୀ ମୋହନ ।
ଜୀବନଟା ଖାଲି ତପ୍ତ ମରୁବାଲି
ମିଛ ମାୟା ମରିଚୀକା
ଉବୁଟୁବୁ ହୁଏ ଭବ ସାଗରରେ
ବିଚରା ମୋର ନଉକା।
ଦଶଦିଶ ଦିଶେ ଶୂନ୍ଯ
ତୁ ପରା ନାଉରୀ କରିଦେଏ ପାରି
ଗୋବିନ୍ଦ ହରି ଶ୍ରୀକୃଷ୍ଣ ।
ନାଚେ ମୋ ଆଖିରେ ତୋ ମୋହନ ଚୂଳ
ମୟୂର ଚନ୍ଦ୍ରିକା ମାଳି
ଉଦେ ହୁଏ ଆଶା ଇନ୍ଦ୍ରଚାପ ନବ
ମୁକ୍ତିପଥ ବନମାଳୀ
ଉଦୟ ହୁଅ ଅରୁଣ
ଭଜି ତୋର ନାମ ବିତୁ ମୋର ଦିନ
କଳୁଷ ହେଉ ଦହନ ।
ତୋର ବିନା ମୋର ନାହିଁ ଅନ୍ଯ ଗତି
ଅପ୍ରମିତ ଦୁଃଖ ରାଶି
ବେଳୁ ବେଳ ମନ ହୁଅଇ ଅଧୀର
ନାମ ଚାଲୁଥାଏ ଘୋଷି
ଜୀବ ଜୀବନ ହେ କୃଷ୍ଣ
ହର ମୋ ସଙ୍କଟ ବିଷୟ ସନ୍ତାପ
ଶରଣ ପଦ୍ମଚରଣ ।
