ସତେ ଆମେ କେତେ ସ୍ଵାଧୀନ?
ସତେ ଆମେ କେତେ ସ୍ଵାଧୀନ?
ଛଅସ୍ତରୀ ବର୍ଷ ବିତି,
ସତସ୍ତରୀ ବର୍ଷ ଆସିବ ସତ
ପଲ୍ଲୀ ଠାରୁ ଦିଲ୍ଲୀ ରାମଧୂନ ସୁରେ
ହୋଇଯିବ ମୁଖରିତ।
ଏହି ଦିନଟିରେ ଜୟ ହିନ୍ଦ୍ ଧ୍ବନି
ତାନ ତୋଳେ ଚାରିଆଡେ
ଗାଡିଠାରୁ ଘର ମଥାନ ସବୁଠି
ତ୍ରିରଙ୍ଗା ପତାକା ଉଡେ ।
ସମୟ ଆସିଛି ପରଖିବା
କେତେ ଆଗେଇଛୁ ,ପଛେଇଛୁ
କାର୍ଯ୍ୟ କେତେ କରା ହୋଇଅଛି ପୁଣି
କେତେ ବିଫଳ ହୋଇଛୁ।
ପରାଧୀନତାର ଶୃଙ୍ଖଳ ସିନା
ଯାଇଅଛି ଦୂରେ ହଟି
ଚାରିଆଡେ ଜଳେ ଅଶାନ୍ତିର ନିଆଁ
ଯାଇନି ସେ ବାଟ କାଟି।
ଦେଶରେ ଚାଲିଛି ହିଂସା,ଶୋଷଣ
ତା' ସହିତ ଧର୍ମଘଟ
ବିପର୍ଯ୍ୟୟ ନିତି ନେଇ ନୂଆ ରୂପ
ଓଗାଳୁଛି ସବୁ ବାଟ।
କେତେ କଷ୍ଟ ସହି କଲେ ଯେ ଦେଶକୁ
ବିଦେଶୀ ହାତରୁ ମୁକ୍ତ
ଦୁଃଖ,ଯନ୍ତ୍ରଣାକୁ ହସି ହସି ସହି
ବୋଲାଇଲେ ଦେଶ ଭକ୍ତ।
ତାଙ୍କ ବଳିଦାନ ଯିବ କି ବ୍ୟର୍ଥ ?
ମନରେ ଆସେ ଭାବନା
ଯୋଜନା ଆମର ପର୍ବତ ପ୍ରମାଣ
ନ ଦିଶଇ ସମ୍ଭାବନା।
ରାମ ରାଇଜର ପରିକଳ୍ପନା
ମହାତ୍ମା ଗାନ୍ଧୀଙ୍କର
ଶ୍ରୀ ଅରବିନ୍ଦ ଦେଖିଥିଲେ ସ୍ବପ୍ନ
ଅଖଣ୍ଡ ଭାରତର।
ଆତଙ୍କବାଦର ସ୍ୱର ଥରାଏ
କୋଟି କୋଟି ପ୍ରାଣ ତନ୍ତ୍ରୀ
ଯୋଜନାର ନାମ ହେଲା ହରିଲୁଟ
ନିନ୍ଦା ପାଏ କେତେ ଯନ୍ତ୍ରୀ।
ଏକତାର ମନ୍ତ୍ର ହରାଉଛି ସତ୍ତା
ଉଠୁଥିବା ଧୂଆଁ ପରି
ନୈତିକତାର ଅସଲ ସ୍ୱରୂପ
ଯାଏ ଦୂରେ ଅପସରି।
ସଭିଏଁ କହୁଛୁ ଆମ ପରିବେଶ
ସମ୍ପୂର୍ଣ୍ଣ ପ୍ରଦୂଷିତ
ମାଟିର ରଙ୍ଗ କେବେ ବଦଳିନି
ଏ କଥା ନିରାଟ ସତ୍ୟ।
ଖଣିଜ ସମ୍ପଦ ଥାଇ ଭରପୁର
କିମ୍ପା ଦେଶ ହତଶିରୀ
ହାତ ପାହାନ୍ତାରୁ ଘୁଞ୍ଚିଯାଏ ଆଶା
ଲାଗେ ମରୀଚିକା ପରି।
ଏ ଶୁଭ ଲଗନ ଦେବ କି
ସନ୍ଧାନ ସକଳ ଶାନ୍ତିର?
ଘୁଞ୍ଚାଇବ ଯେତେ କଷଣ ସହିତ
ନିରାଶାର ଅମା ଅନ୍ଧାର।
