ସପନ ଶେଯରେ ରାତି
ସପନ ଶେଯରେ ରାତି
ଦେଖିଲି ତୋତେ ଲୋ ଅନ୍ଧାର ରାତିରେ
ଆଲୁଅ ନଥିଲା କାହିଁ
ତୋ ଦେହ ଆଲୁଏ ଜଳିଗଲି ସଖୀ
ଆଖିଗଲା ବନ୍ଦ ହୋଇ I
ତୋ ନୀଳ ନୟନ ଢାଳୁଥିଲା ସଖୀ
ଜୋଛନାର ସରୁ ଧାର
ତୋ ଓଠ ଫାଙ୍କରୁ ପ୍ରୀତିର ପୀୟୁଷ
ଝରୁଥିଲା ନିରନ୍ତର I
କୁଆଁରୀ ଶୀତର କଅଁଳ ଦେହରେ
ରଙ୍ଗ ବୋଳିଦେଲୁ ବୋଲି
କମ୍ବଳ ଭିତରେ ନିଜକୁ ଲୁଚେଇ
ଅନ୍ଧାରରେ ହଜିଗଲି I
ସପନ ଶେଯକୁ ନିଅଣ୍ଟ ପଡୁଛି
ରାତିର ବିଶାଳ ଦେହ
ସକାଳକୁ ଆଉ ଡାକିବନି ବୋଲି
ଅନ୍ଧାରକୁ କହିଦିଅ I

