ସଞ୍ଜ ନଇଁ ଆସିଲାଣି
ସଞ୍ଜ ନଇଁ ଆସିଲାଣି
ତପତ ତପନ, ସୁଶୀତଳ ହୋଇ
ପ୍ରତୀଚିକୁ ଛୁଇଁଲେଣି,
ମିଠା ଛୁଆଁ ପାଇ ଦିଶା ସୁକୁମାରୀ
ସରମେ ଝାଉଁଳିଲାଣି । [୧]
ସରମର ଛିଟା ସୁନ୍ଦରୀ ଶରୀରେ
ମହୁରଙ୍ଗ ବୋଳିଲାଣି,
ବାହୁଡ଼ିଲେ ଗୋଠ, ବେଳ ରତ ରତ,
ସଞ୍ଜ ନଇଁ ଆସିଲାଣି । [୨]
ଆକାଶର କୋଳେ ମାଳ ମାଳ ହୋଇ
ବିହଙ୍ଗମ ଭାସିଲେଣି ,
ଝଅଟ ଝଅଟ ବସା ବାହୁଡ଼ିବା-
ଶିରୀ ନିଏ ମନ କିଣି । [୩]
ପେଟ-ପାଟଣାର ବେଉସାକୁ ସାରି
ପ୍ରାଣୀ ଘର ମୋହିଁଲେଣି,
ଖେଳ ସାରି ବାଳ, ପାଠ ସାରି ଶିଷ୍ୟ
ସରାଗେ ବାହୁଡ଼ିଲେଣି । [୪]
ଅଶନ, ବିରାମ ପାଇଁ ରବି ଯାଇ
ଗିରି ଗୃହେ ରହିଲେଣି,
ଗଛ ଲତା, ନଦୀ, ଆକାଶ, ପ୍ରାସାଦ
କାଳିମାରେ ହଜିଲେଣି । [୫]
ମନ୍ଦିର ବେଢ଼ାରୁ ଓଁକାର ଶବଦ
ଶଙ୍ଖ ନାଦ ଗୁଂଜିଲାଣି ,
ସଞ୍ଜବତୀ ଜାଳି ପରିବାର ସୁଖ
ବଧୂଏ ମନାସିଲେଣି । [୬]
ତାରା ଫୁଲ ଛିଟ କଳା ପାଟ ପିନ୍ଧି
ସଜହୁଏ ନିଶି ରାଣୀ,
କପାଳରେ ଆଙ୍କି ଚନ୍ଦ୍ରମାର ଟୀକା
ମନ୍ଦ ମନ୍ଦ ହସିଲାଣି । [୭]
'ଅନ୍ଧାର ଘୁଡୁକୀ' ଭୟରେ ଶିଶୁଏ
ମା କୋଳ ଉଂଡିଲେଣି,
ପ୍ରେମ - ପ୍ରଶାନ୍ତିର ଏକତା ବନ୍ଧନେ
ପରିବାର ହସିଲାଣି । [୮]