ନ୍ୟାୟ ଅନ୍ୟାୟ
ନ୍ୟାୟ ଅନ୍ୟାୟ
ନ୍ୟାୟ ବିଶ୍ୱେ ଅଟେ ଧର୍ମ ଅନ୍ୟାୟ ଯେ ପାପ
ଦୁଃଖ ଶୋକ ହୃଦ୍ ଦାହ ଦିଅଇ ଅମାପ ।
ତାପ ଓ କଷଣ ଭରା କରଇ ଜୀବନ
ଅନ୍ୟାୟ ଓ ଅତ୍ୟାଚାର ଘେନି ମୁହ୍ୟମାନ ।
ହୁଏ ପ୍ରାଣୀ ନିତି ତାପ ବିଜଡ଼ିତ ଚିତ୍ତ
ନ୍ୟାୟ ବୋଲି କହି ଯାହା ନୀତି ବା ବିହିତ ।
ବିଧି ବ୍ୟବସ୍ଥାକୁ ପାଳି ସମୋଚିତ ଭାବେ
ଥିଲେ ନ୍ୟାୟ ବୋଲି ତାହା ବୋଲାଏ ଏ ଭବେ ।
ନୀତି ନିର୍ଦ୍ଧାରିତ ବିଧି ବ୍ୟବସ୍ଥା ସକଳ
ଘେନି ନ୍ୟାୟେ ପ୍ରାଣୀ ମାନେ ଜାପି ଥାନ୍ତି କାଳ ।
ନ୍ୟାୟରୁ ଲଭନ୍ତି ସୁଖ, ତୃପ୍ତି କୌତୁହଳ
ଅନ୍ୟାୟ ଅନୀତି ଠାରୁ ଦୁର୍ନୀତି ଓ ଗୋଳ ।
କଳି ଦ୍ୱନ୍ଦ୍ୱ, ଅତ୍ୟାଚାର ଅନାଚାର ଆଦି
ଦୁଃଖ, ଦୁଶ୍ଚିନ୍ତା , ଦୁର୍ଦ୍ଦଶା , ପାଇ ଚାଲେ ବୃଦ୍ଧି ।
ହିଂସା, ବାଦ, ଦ୍ୱେଷ ପରି ଅନେକ ବିକୃତି
ସରଜେ ସବୁଠି ହୀନ ମାନବ ପ୍ରକୃତି ।
ପ୍ରକୃତି କରଇ ସବୁ ନ୍ୟାୟ ର ବିଧାନ
ବିକୃତି ଜନ୍ମାଏ ତହିଁ ଅନ୍ୟାୟ କଷଣ ।
ଅନ୍ୟାୟରୁ ଜୀବ ଚାଲେ କଷାଘାତ ସହି
ଦୁଃଖ ଦୁଶ୍ଚିନ୍ତାରେ ଅନୁତାପେ ହୁଏ ଦହି ।
ସମାଜରେ ସମାନତା ସଦ୍ଭାବ ସଂହତି
ନ୍ୟାୟ ବିଧି ବିଧାନରେ କରେ ଅଗ୍ରଗତି ।
ମାତ୍ର କଳୁଷିତ ଚିନ୍ତା ବିଚାର ଭାଵନା
ହେତୁରୁ ମଣିଷ ରଚେ ଅନ୍ୟାୟ ଯେ ନାନା ।
ସମାଜର ଶାନ୍ତ ସ୍ନିଗ୍ଧ, ଚାରୁତା ସଂହାର
କରି ରଚେ କେତେ ଲୀଳା, ଭୟ ହାହାକାର ।
