STORYMIRROR

Debadatta Jena

Tragedy Classics

4.0  

Debadatta Jena

Tragedy Classics

ସଂତ୍ରସ୍ତ ଭିଟାମାଟି..

ସଂତ୍ରସ୍ତ ଭିଟାମାଟି..

1 min
300



ଏ ବର୍ଷ ମେଘ ଆସେ,

ସଜ ବାଜ ହେଇ, ତାଜା ତାଜା,

ଛନକା, ସାଗୁଆ ରଂଗରେ,

ପଲ୍ଲ ପହ୍ଲ ପଙ୍ଗପାଳ,

ଓଲ୍ହେଇ ଆସନ୍ତି, ଡେଣା ଝାଡ଼ି,

ସବୁଜ ଶ୍ରାବଣ ବାସ୍ନାରେ,

ମାଳ ମାଳ ହେଇ, ଶୋଷିବାକୁ

ଚିର ହରିତ ରକ୍ତ,

ଝୁଣି ବାକୁ ଧରଣୀ ପେନୁର

ସୁଶୋଭିତ ବକ୍ଷୋଜ,

ତାର ଧାରୁଆ ଥଣ୍ଟରେ..!

ଚିରି ବିଦାରିବେ ଅଇଁଚ୍ଛା,

ତାଙ୍କ ଚର୍ବଣ ଚଞ୍ଚୁରେ ଯେତେ,

ତରୁ ଲତା, ପତ୍ର,

କ୍ଷେତ, ବଣ, ବୃକ୍ଷ,

ପୂରୁବା ପରବ,ବୈଶ୍ୱାନର ସାଜି,

ଉଦ୍ଭ୍ରାନ୍ତ ବୈଶାଖର

ଆଦ୍ୟ ବାଉଳା ଋତୁର,

ଏଇ ମଉଳା ସଂଜରେ..!

ରଚି ଯିବେ ବୁଭୂକ୍ଷୁର ଅନ୍ତହୀନ

ଆର୍ତ୍ତନାଦ, ରଜୋବତୀ ଧରଣୀ

ରାଣୀର ଉନ୍ମୁକ୍ତ ଶରୀର ସୌଷ୍ଠବ,

ବିଦାରିବେ ଋତୁ ସଂହାରର ଚିତ୍ର,

ତା' କଙ୍କାଳର ଇତିହାସ

ଏଇ ମିଥୁନ ତିଥିରେ..!

ଫେରିଛି ପ୍ରିୟତମ,ଅପ୍ରବାସୀ ହୋଇ,

ଚଞ୍ଚୁରେ ତା'ର ଭିଟାମାଟିର ଗଂଧ,

ଛାତିରେ, ଅଂଶୁଘାତ ତାତି,

ଦେହରେ ପଳ ପଳ କାତି,

ଶରୀରରେ ବଳଦିଆ ଉଷ୍ମ ଯୌବନ,

କଳା ଘୁମର ସଂତ୍ରପ୍ତ ଆଖି,

ସର୍ବନାସି ଉଚ୍ଛନିଆ ମନ,

ରୌଦ୍ର ବୈଶାଖର

ତ୍ରସ୍ତ ଦାବାଗ୍ନିରେ..!

କୁଣ୍ଠିତ ସ୍ବପ୍ନ ମାନେ, ଯା'ନ୍ତି ଅପସରି,

ନିଗିଡି ପଡନ୍ତି ଏଠି, ଲହୁ ଲୁହ ହେଇ,

ଧୁ ଧୁ ଧାନ ଉଷୁନା ହାଣ୍ଡିର ବାମ୍ଫ,

ନୀରବେ ସମର୍ପି ଦିଅନ୍ତି,

କୁଆଁରୀ ଶ୍ରାବଣର ଦାରୋଟି ଉଦ୍ବେଗ

ତା'ର ଘର୍ମକ୍ତ ଭିଜା ପଣତ କାନିରେ..!

ଭାବନାର ଭସା ମେଘ ଖଣ୍ଡ ସବୁ,

ଭାଙ୍ଗେ, ଘନୀଭୂତ ହୁଏ,ଦପ ଦପ

ପହିଲି ଆଷାଢର, ପ୍ରଥମ ସ୍ପର୍ଶରେ,

ପୁଞ୍ଜା ପୁଞ୍ଜା ପାଣି ଫାଟୋକା ମାନ,

ନିମିଷକେ ମିଳେଇ ଯାଆନ୍ତି,

ଋତୁପର୍ଣ୍ଣାର ନିଢ଼ୋଳ ତନୁ ମନ,

ମଗ୍ନ ମୁଷଳ ଧାରାରେ..!

ସ୍ବପ୍ନ ମାନେ ହଜି ଯାଆନ୍ତି ପୁଣି,

ଗୁରୁଣ୍ଡି ଗୁରୁଣ୍ଡି, ଝିପି ଝିପି ବର୍ଷା

ସେଇ ତଟକା ଟୋପାରେ..!

ତୁହା ତୁହା ବର୍ଷା ବାଡ଼ି ଅଗଣାରେ,

ଦାଣ୍ଡ ଦୁଆରେ ଦାଦନର ଧାଡି,

ପୁରେ ପଙ୍ଗ ପାଳିଆଙ୍କ ମେଳି,

ଏକାନ୍ତ ବାସ, ପଂକ୍ତି ଭୋଜନ,

ସଙ୍ଗରୋଧ, କରୋନା ଗୋଳ,

ଓଦା ଓଦା ମନ,ଉଦାସିଆ ଓଠ,

ଝୁରେ କୁଆଁରୀ ମନର ଆବେଗ

"ମେଘ ବରଷିଲା ଟୁପୁରୁ ଟୁପୁରୁ"

ସେଇ ବିସ୍ମୃତ ଶ୍ରାବଣ ସଂଗୀତ,

ନିର୍ଲିପ୍ତ ଭିଟାମାଟିର ବାସ୍ନାରେ,

ଏଇ ସଂନ୍ତ୍ରସ୍ତ ବେଳାରେ..!


Rate this content
Log in

Similar oriya poem from Tragedy