ଅସ୍ଥାୟୀ ଭାବନା
ଅସ୍ଥାୟୀ ଭାବନା
ମଧୁର ବସନ୍ତର କ୍ଷଣସ୍ଥାୟୀ ବାଆ ତୁମେ,
ଶିରି, ଶିରି, ଥିରି ଥିରି ଛୁଇଁଯାଅ ତରୁମନ,
ଶୁପ୍ତ ଚିତ୍ତୋବନ ଆଲୋଡିତ ହେଇଉଠେ,
ପୁଣି ସେଇ ଚିହ୍ନା ଅନୁଭୂତିର ଆଗମନରେ,
ଇଚ୍ଛା ହୁଏ ନିର୍ଦୟୀ ସମୟର କଣ୍ଟାକୁ,
ହାତମୁଠାରେ ଚାପି ଧରିବାକୁ ,
ଆଉ ଟିକିଏ ଅଧିକ ଜିଇଁ ଯିବାକୁ,
ଏଇ ଜୀବନ, ଜୀବନ ଭଳି।
ତୁମ ହସର କୋମଳ ପ୍ରତିବିମ୍ବ ଆଢ଼ୁଆଳେ,
ଲୁଚିଯାଏ ମୋ ତିକ୍ତ ବେଦନା,
ଭୂଲି ଯାଏ ହୃଦୟ ପେଡ଼ିରେ କାର୍ଯ୍ୟରତ,
ଅତୀତ ଓ ବର୍ତ୍ତମାନର କ୍ଳେଶ,
ସ୍ୱପ୍ନ ପୁଣି ଉଙ୍କିମାରେ ,
ଅମାବାସ୍ୟାର କଳା ଘନ ବାଦଲ ଛେଦି,
ଜଳିଯିବାକୁ ସ୍ୱର୍ଣ୍ଣିମ ଭବିଷ୍ୟତର,
ନୂତନ ମସାଲ୍ ନେଇ।
ହେଲେ ଏ ସମସ୍ତ ଜୋଛନା ଭାବନା,
ଅପୂର୍ଣ୍ଣ ଅସ୍ଥାୟୀ,
ତୁମ ସଙ୍ଗେ ଚାଲିଯାଏ,
ଅଧୀର ଝରଣାର ସ୍ରୋତ ହୋଇ,
ଛାଡିଯାଏ କିଛି ଖଟାମିଠା ସ୍ମୃତି,
ଏକାନ୍ତରେ ମନେ ପକେଇବାକୁ,
କେବେ ବର୍ତ୍ତମାନକୁ ଭୂଲି ବାକୁ,
ତ ପୁଣି କେବେ ନିଜକୁ ଭୁଲେଇବାକୁ ।