ମୋହ ମାୟାର ପାହାଚ
ମୋହ ମାୟାର ପାହାଚ
ମୋହ ମାୟାର ପାହାଚକୁ
ମଣିଷ ଥରେ ଅତିକ୍ରମ କରି ଦେଲେ
ସଵୁକିଛି ଭୁଲିଯାଏ ମାୟାର ପରିଧି ଭିତରେ
ଘୁରି ଅଣନିଃଶ୍ବାସୀ ହେଲେ ବି
ଅବାସ୍ତବ ସ୍ବପ୍ନକୁ ସତ କରିବା ପଛରେ
ଧାଇଁ ଧାଇଁ ଭୁଲିଯାଏ ନିଜର ଅସ୍ତିତ୍ବ
ମୁଁ କିଏ, ମୁଁ ଏ ସଂସାରକୁ କାହିଁକି ଆସିଛି
ତାହା ବି ଭୁଲିଯାଏ ମୋହର କରାଳ ଗ୍ରାସରେ।
ମାୟା ତାକୁ ନେଇଯାଏ ଯେମିତି ଦୂର ଦିଗବଳୟରେ
ଥିବା ସୁନେଲି ସପନର ନୀଳ ଆକାଶକୁ,
ମାୟାର ଆସ୍ତରଣର ଛିଟାରେ ସେ ମୋହିତ
ହୋଇ ଯାଇ ପଡି ଯାଏ ସେ ମୋହର ଘାଇରେ,
ଧନ, ଜୀବନ,ଯୌବନ ଏସବୁ କ୍ଷଣସ୍ଥାୟୀ ବୋଲି
ଜାଣି ବି ସେ ମନେ ମନେ ସ୍ବର୍ଗରୁ ପାରିଜାତ
ପୁଷ୍ପକୁ ଆଶା କରି ନିଷ୍କର୍ମା ଭାବରେ
ଘୁରି ବୁଲୁଥାଏ ପ୍ରଶ୍ନବାଚୀର ଅନ୍ତଃର୍ଦ୍ଵନ୍ଦରେ।
