ଏଇତ ଜୀଵନ
ଏଇତ ଜୀଵନ


ବେଳେବେଳେ ନିଜକୁ ଦେଖିଲେ
ନିଜ ଉପରେ ବିଶ୍ଳେଷଣ କରିବସେ
କେଜାଣି କ'ଣ ଚାଲିଛି
ଆଉ କ'ଣ ଚାଲିବ
ନିଜକୁ ପ୍ରଶ୍ନ ପଚାରେ
ମୁଁ କ'ଣ ? ଆଉ
ମୁଁ କିଏ ବୋଲି ?.......? ।
ହେଲେ ସେ ଗୋଟିଏ ଉତ୍ତର
ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ
ଦୁନିଆଁକୁ ଜାଣି ନ ଥିବା
ବୁଝିନଥିବା ଅନଭିଜ୍ଞ ଅସହାୟ
ଅନ୍ଧାରି ମୂଲକରେ ପ୍ରଦୀପର ଆଲୋକରେ
ଜ୍ୟୋତି ଅଣ୍ଡାଳୁଥିବା ମଣିଷଟିଏ.........।
ଲାଗେ ମୋର ସ୍ୱପ୍ନ ଦେଖିବାଟା
ବୋଧହୁଏ ଅଭିଶାପ ହେଇଯାଏ
ଯଦି ବା ଭୁଲରେ କେବେ କାଳେ ସ୍ୱପ୍ନ ଦେଖେ
ପ୍ରକୃତି ବା ପରିସ୍ଥିତି ଆସି
ଅସହିଷ୍ଣୁ ହେଇ ଝାମ୍ପି ନେଇଯାନ୍ତି
ମୋର ଅସଜଡ଼ା ସ୍ୱପ୍ନକୁ ଆଉ
ଖିନ ଭିନ କରିଦିଅନ୍ତି
ଏଇ ଏବେଏବେ ଜନ୍ମ ନେଉଥିବା
ମୋର ତମାମ ଅସ୍ତିତ୍ୱକୁ ……।
ପୁଣି ଆଶାଟେ ନେଇ ଛିଡ଼ା ହୁଏ
ପ୍ରସ୍ତୁତ କରେ ନିଜକୁ
କେତେବେଳେ ଅନ୍ଧାରର ବଶବର୍ତ୍ତୀ ହେଇ
ନୂଆ ରାହାର ଅନ୍ୱେଷଣରେ
ଖଣ୍ଡିଆ ଖାଵରା ହେଇ ତ
ଆଉ କେତେବେଳେ ଉଜ୍ଜ୍ୱଳ ଆଲୁଅରେ ବି
ନିଜକୁ ସଂଯତ କରେ
ଝୁଣ୍ଟି ପଡିବାର ଆଶଙ୍କାରେ
ତେବେ
ଚାଲିଛି ଆସନ୍ନ ନକ୍ସାର ମଙ୍ଗ ଧରି
ବାସ୍ତବ ଆଉ କଳ୍ପନାକୁ ସାଥି କରି
କାଳେ ଫିଟି ଯିବ ସେଇ ବନ୍ଦ ହେଇଥିବା ରାସ୍ତାଗୁଡା
ଆଉ ମିଳିଯିବ ଜୀବନର ନୂଆଁ ଠିକଣାଟିଏ ….।