ଶ୍ରମିକ ଦିବସ
ଶ୍ରମିକ ଦିବସ
ଅଭାବୀ ତେଲ ଲୁଣର ସଂସାର
ଗରିବ ଗୁରୁବା ଘର ପରିବାର
ଦୁଃଖ ଶୋକ ଯହିଁ ସ୍ଥାୟୀ ଆସର ।
ଓଳିଏ ଉପାସ ଦାଉ ଭୋକର
ଗଢି ଦେଲୁ କେତେ ସଉଧ ଘର
ଖରା ବର୍ଷା ସହି ବନେଇଲୁ ନଗର ସହର ।
ହତାସା ଯାହାର ଦ୍ଵାର ସହୋଦର
ନିରାଶା ଯାହାର ବାତାୟନ ସହଚର
ବାଜୁଥାଏ ନିତି ବିଦ୍ରୋହର ବିଗୁଲ୍ ସ୍ଵର ।
ଲାଞ୍ଛନା ଯାତନା କାନ୍ଥ ସୋଦର
ଅଭାବ ଅନାଟନ ସାଙ୍ଗ ନିଜର
କୁହୁଳୁଥାଏ କଡ଼ାଗଣ୍ଡାର ହିସାବି ସ୍ଵାକ୍ଷର ।
କଷ୍ଟ ଅତ୍ୟାଚାର ପିଠିରେ ସବାର
ଗାଳି ମାଡ଼ ଖାଇ ନିର୍ଜିବ କଳାକାର
ସହିଯାଏ ଚୁପ୍ ଚାପ୍ କରି ଭାଗ୍ୟକୁ ଆଦର ।
ପରାର୍ଦ୍ଧେ ପ୍ରତିବାଦ ମନରେ ଝଙ୍କାର
ଯୁଝିବାକୁ ଯୁଦ୍ଧର ତାଣ୍ଡବ ମାଗେ ଇସ୍ତାହାର
ପିଇଯାଏ ଆଞ୍ଜୁଳା ଭର୍ତ୍ତି ବିଷ ରୁଧିର ।
ପ୍ରତିହିଂସା ପରାୟଣ ଲେଲିହାନ ଶିଖା
ପ୍ରତିଶୋଧ ପରାୟଣ କୁଣ୍ଡଳିତ ଦୀକ୍ଷା
କ୍ଷଣ କ୍ଷଣକେ ରକ୍ତପିପାସୁ ଆଗୁସାର ।
ବୁଭୁକ୍ଷିତ ବର୍ଗ ସମସ୍ୟା ଜାଲରେ ଛନ୍ଦା
ନିଷ୍ପେଷିତ ସର୍ବହରା ଅଧାପେଟେ ବନ୍ଧା
ସହି ସହି ସାରିଲାଣି ସଂଯମ ଗାର ।
ସାହସ ପ୍ରବଳ ଇଚ୍ଛା ବି ସବଳ
ହୁଙ୍କାର ସହିତ ଅଛି ଜନବଳ
ସମୟ ମାଗୁଛି ଏକତା ସୁତ୍ରରେ
ଭାଙ୍ଗି ଦେବାକୁ ଶତାବ୍ଦୀର ବାହୁବଳ ।
ଜନତା ଜନାର୍ଦ୍ଦନ ଗଣତନ୍ତ୍ର ଶାସନ
ଚାଷି ଶ୍ରମିକ ମୂଲିଆ କାରିଗର
ତାଙ୍କରି କଲ୍ୟାଣ ଉତ୍ଧାନ ଉଡ୍ଡାଣ
ସରକାର କରିବାକୁ ବାଧ୍ୟ ଜନ କଲ୍ୟାଣ ।
ବଞ୍ଚିତ ଆମେ ଶୋଷିତ ଆମେ
ଉପେକ୍ଷିତ ରହିବାନି ଧରାଧାମେ
ସମତା ମନ୍ତ୍ରରେ ଏକତା ସୂତ୍ରରେ
ଗଢିବା ସବଳ ଶ୍ରମିକ ଗ୍ରାମେ ।
ରକ୍ତ ରଞ୍ଜିତ ରାଜରାସ୍ତା ହେଉ
ଅଧିକାର ନେବା ଛଡେଇ
ପୁଞ୍ଜିପତି ମହାଜନ ଧନୀକ ଶ୍ରେଣୀ ଠୁଁ
ଶ୍ରମର ପାଉଣା ବଢେଇ ଗଡେଇ ।
ସର୍ବହରା ସରକାର ହେବ ଶୁଭଙ୍କର
ଶ୍ରମିକଜନ ହିତାୟ ଦେବାୟ
ସଚ୍ଚା ଶ୍ରଦ୍ଧାଞ୍ଜଳୀ ଘେନ ଶ୍ରମିକ ଦିବସେ
କଙ୍କାଳର ରକ୍ତରେ ଲେଖ ଜୟ ।