STORYMIRROR

Kabiratna Nutan Kumar Behera

Tragedy

3  

Kabiratna Nutan Kumar Behera

Tragedy

ଦେଖ ଥରେ ଅତୀତର ପୃଷ୍ଠା ଖୋଲି

ଦେଖ ଥରେ ଅତୀତର ପୃଷ୍ଠା ଖୋଲି

1 min
157

ହେ ବର୍ତ୍ତମାନ !

ହୁଅ କାହିଁକି ବିଚଳିତେ ମ୍ରିୟମାଣ ?

ଭାଙ୍ଗି ଦିଅ କାହିଁକି ତୁମର ସୁଦୃଢ ବଳିଷ୍ଠ ମନ

ହଜାଇ ଦିଅ ଅଭିଜ୍ଞାତା ଅନୁଭୁତି ଆତ୍ମଜ୍ଞାନ ?

ତୁମେ ତ ସର୍ବଦା ସ୍ୱାଗତଯୋଗ୍ୟ

ଯୋଗାଇ ଦେଉନ ପ୍ରେରଣା ଶକ୍ତିର ଇନ୍ଧନ

କି କରୁନାହଁ ଯୁଗ ସ୍ରୋତକୁ ଆହ୍ୱାନ ?

ହୁଏତ ତୁମେ ଥିବ କିଛି ମାନସିକ ଚାପରେ

ସନ୍ତୁଳିତ ପତନମୁଖୀ ସମାଜରେ ଦେଖି

ବୀଭତ୍ସ ରୂପରେଖର ଅବାଞ୍ଛିତ ସବୁ ଚିତ୍ରପଟ

ସେଥିପାଇଁ ବୋଧହୁଏ ଏତେ ବ୍ୟସ୍ତ ବିବ୍ରତ

ହେଉ ନାହିଁ ତୁମ ସ୍ୱତନ୍ତ୍ର ପ୍ରତିଭାର ପରିସ୍ଫୁଟନ 

ସ୍ୱଭାବିକତାର ହୋଇ ଚାଲେ ଅବକ୍ଷୟ 

ଏ ତ କ୍ରମାଗତ ପ୍ରକ୍ରିୟା ବିଧିର ବିଧାନେ

ସୃଷ୍ଟି ହୁଏ ଧ୍ୱଂସ ପୁଣି ଧ୍ଵଂସରୁ ସୃଷ୍ଟି ଯେ ଚିରନ୍ତନ

ସବୁ କିଛି ମହାକାଳର ଆୟତ୍ତାଧୀନ।

ହେ ବର୍ତ୍ତମାନ !

ପରିବେଶ ପରିସ୍ଥିତି ହୁଏ ଯାହା ପ୍ରଦୂଷଣ

ସେଥିରେ ହୋଇ ଭାରାକ୍ରାନ୍ତ ଅସ୍ଥିର

ନିର୍ବାକ ନିଃସ୍କ୍ରିୟ ହେବା କି ଯଥାର୍ଥତା ?

ସମସ୍ୟାର ସମ୍ମୁଖୀନ ହୋଇ

ସମାଧାନ କରି ସଜାଡି଼ ରଖିବାକୁ

ତୁମେ ପରା ଆସିଛ ବର୍ତ୍ତମାନ

ବିସ୍ମୟରେ ବିସ୍ମିତ ହୋଇ ପଡି଼ଲେ

ଆଗକୁ ଆଣି ପାରିବ କି ସାର୍ଥକତା ?

ଦେଖ ଥରେ ଅତୀତର ପୃଷ୍ଠାକୁ ଖୋଲି

ଏହାଠୁ କି ଭୟଙ୍କର ଦୁର୍ବିସହ ଥିଲା ସେ

ଇତିହାସ ତାର ରଖିଛି ପ୍ରମାଣ 

ଅନୁଭବ କଲେ ଏ ଦୈନ୍ୟ ଭାବ ଯିବ ଭୁଲି 

ଅତୀତ କହୁଛି ନୀରବ ନିସ୍ତବ୍ଧରେ

ଶାନ୍ତ ନମ୍ର ବିନୟ ଭାବରେ ଅନୁରୋଧ କରି

କରନାହିଁ ଆଉ ସେ ଭୁଲ୍ ର ପୁନୋରାବୃତ୍ତି

ଜାଗ୍ରତ ହୁଅ ସଚେତନ ରୁହ ଯିବ ସବୁ ଚାଲି।

ହେ ବର୍ତ୍ତମାନ !

ନିଜ ଅସ୍ତିତ୍ୱକୁ ଯିଏ ଶ୍ରେଷ୍ଠ ଭାବି 

ଆତ୍ମଗର୍ବ ଅହଂକାରରେ ପଡେ ଫାଟି 

ଅନ୍ୟାୟ ଅଧର୍ମର ପଥରୁ ସେ ଯିବ ହଟି

ବୃଥା ଆସ୍ଫାଳନ ବାହାସ୍ଫୋଟ ହେବ ଚୁର୍ଣ୍ଣ

ସବୁ ମାଟି ହୋଇ ମାଟିରେ ମିଶି ହେବ ମାଟି 

ବିଚାର କର ସ୍ଥିର ସୁସ୍ଥ ଚିନ୍ତନରେ

ଅତୀତ କହେ ପ୍ରାଞ୍ଜଳରେ ଗୋଟି ଗୋଟି

କିଏ କେତେ ରଖିଥିଲା ଯତନେ ସାଉଁଟି

ତାର ଅଛି କି କିଛି ମହକ ବାସୁଛି ଫୁଟି ?

ବର୍ତ୍ତମାନର ଅତୀତ ସହିତ ସମନ୍ଵୟ

ହେଉଛି ଆଗାମୀ ଭବିଷ୍ୟତର ସମ୍ଭାବନା

ଦୂରେଇ ଦିଅ ଦୁଃଶ୍ଚିନ୍ତା ଦୁର୍ଭାବନା 

ଆସିବ ଏକ ଅନୁକୂଳର ଶୁଭ ମୁହୂର୍ତ୍ତ

ଭେଟି ଦେବ ସୌଭାଗ୍ୟକୁ କରି ଅଭ୍ୟର୍ଥନା

ସେ ହେବ ବର୍ତ୍ତମାନର ସିଦ୍ଧି ସାଧନା।

ହେ ବର୍ତ୍ତମାନ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy