ରହସ୍ୟର ଭେଦ
ରହସ୍ୟର ଭେଦ
ଆଖିର ତାର ପ୍ରୀତିର ଯୁଆର
କୂଳ ଲଙ୍ଘି ଯାଏ
କଣ୍ଠରେ ଯାର ପୀରତି ସଙ୍ଗୀତ ଝରେ
ଛନ୍ଦେ ନୃତ୍ୟ କରୁଥାଏ ।
ହୃଦୟ ବନ୍ଦୀଶାଳାରେ ପ୍ରେମ ପକ୍ଷୀ
ଦିନେ ହୋଇଥିଲା ବନ୍ଦୀ
ପ୍ରେମର ପ୍ରଦୀପ ଜାଳି କହିଥିଲା ଭୁଲିବନି
ଜଞ୍ଜାଳେ ହୋଇଲେ ଛନ୍ଦି ।
ନୟନୁ ଅନ୍ତର ହୋଇଲେ ବି କେବେ
ମନୁ କରିବନି ଦୂର
ଯେଉଁଠି ଥିଲେ ମୁଁ ଏକା ତୁମର
ଭାବିବନି କେବେ ପର ।
ରହସ୍ୟର ଭେଦ ପାଉନାହିଁ ମୁହିଁ
ବଦଳିଛି ପ୍ରେମ ପରିଭାଷା
ଲୁହ ଝରିଗଲେ ଝରାଏ ଯିଏ ଲହୁ
ଉପଭୋଗ କରେ ମୋ ଦୁର୍ଦଶା ।
ଅଚିନ୍ହା ଅଜଣା ପରାୟେ କହେ କଥା
ଦେଖା ହେଲେ ଅକସ୍ମାତ
ଆଖି କୁ ଫେରାଇ ନିଏ ଯେମିତି
କାଳେ କହିଦେବ ସତ ।