ସଂସାର
ସଂସାର
ତୁମେ ମୋର ଏତେ ପାଖେ ଥିଲେ ବି
କାହିଁ କେଜାଣି ଲାଗୁଥାଅ ସାତପର
ଗୋଟିଏ ବିଛଣାରେ ଦୁଇଦିଗ ମୁଁହ
ସ୍ଵାର୍ଥପର ଅହଂକାରର ଘୋଡି ହୋଇ ଚାଦର
ପରସ୍ପର ରହିଥାଉ ଯେ ଯାହା ଦୁନିଆଁରେ ।
ହସୁଥାଅ ତୁମେ କୁତ୍ରିମ ହସ
ମୋ ଆଗେ ସ୍ତ୍ରୀଟିଏ ପୁଅଝିଅ ଆଗେ
ଗୋଟେ ସୁନ୍ଦର ମାଆର ଅଭିନୟ କର
କାଚ ପରି ଭାଙ୍ଗିଛ ସଂପର୍କ ନିଜେ ଜାଣିଶୁଣି
ମାଟି ଛାଡି ଯେବେ ଉଡିବାକୁ ଚାହିଁଲ ନୀଳ ଆକାଶରେ ।
ବିଶ୍ଵାସର ମାଟିହାଣ୍ଡି ଫାଟିଗଲେ ଥରେ
ଯୋଡିହୁଏନା କଞ୍ଚାକାଦୁଅ ଦେଇ
ନଈ ବି କଡଲେଉଟାଏ ସମୟେ ସମୟେ
ରୋକଠୋକ୍ ମନାକରେ ସମୁଦ୍ରରେ ମିଶିବାକୁ
ବାଧା ଆସିଲେ ଟିକିଏ ତାର ସ୍ଵାର୍ଥରେ ।
ସ୍ଵାଧୀନତାର ଅଠାକାଠିରେ ଲଟକି ଗଛଡାଳେ
ଶିକାରୀ ଟାଣିନିଏ ତା ପଞ୍ଜୁରୀକୁ ଶିଖାଇ
ତୁମ ରୂପ ଯୌବନର ପଦ୍ମତୋଳା ପଢି ପଢି
ସାପ ପରି ମୋଡିମାଡି ଗଦ ଶୁଙ୍ଘାଇ
ବଶୀଭୂତ କରେ ତାର ଗୁପ୍ତ ପେଡିରେ ।
ଦାନାଖିଆ ଚଢେଇଟି ଭଳି ସବୁଦିନ
ତୁମେ ଚାଲିଯାଅ ଆଉ କାହାର ଛାତକୁ
ରଦିଆ ସଂସ୍କତିର ଶୃଙ୍ଖଳ ଛିଡାଇ
ଭୁଲିଯାଇଥାଅ ମାନ ସମ୍ମାନ ଇଜ୍ଜ୍ଵତକୁ ।
ଗୋଟିଏ ଚାବିନେନ୍ଥାରେ ଗୁନ୍ଥା ଏ ସଂପର୍କ
ବିଶ୍ଵାସର ବରଗଛଟିଏ ଏ ସଂସାର
ସ୍ନେହ ମମତା ପ୍ରେମର ଅମୃତ ସାଗର
ଯେଉଁଠି ନଥାଏ କେବେ ହଳାହଳ
ଭୁଲିହୁଏନା ଜୀବନ ନିଦାଘେ ତାର ଶୀତଳତାକୁ ।
ବୟସ ସରିଗଲେ ହାଟ ଭାଙ୍ଗିଯିବ
ଯିଏ ଯାହା ବାଟେ ଚାଲିଯିବେ
ସବୁଆଡେ ଶୂନଶାନ ନିରବତା ଆଉ ଖାଁ ଖାଁ
ଚଢେଇ ମାନଙ୍କର ଚେଁ ଚାଁ ବିକଟାଳ ରାବେ
ଭାଙ୍ଗିଯିବ ତୁମ ଅନନ୍ତଶୟନ ।
ଆଖି ଖୋଲିଲାପରେ କିଛି ଆଉ ନ ଥିବ
ସ୍ମୃତିସବୁ ଅଳସ ଭାଙ୍ଗୁଥିବେ
ବିଷାକ୍ତ ସଂପର୍କର କୁହୁଳା ଧୂଆଁ ଆଡେଇ
ଦେଖୁଥିବେ କେହି ଜଣେ ତୁମକୁ ଚାହିଁ ବସିଛି
ଯିଏ ଅଗ୍ନିକୁ ସାକ୍ଷୀରଖି ସଂସାରେ କରିଥିଲା ପଣ ।

