ସଂସାର ବେଳାରେ ପର୍ଯ୍ୟଟକଟିଏ ମୁଁ
ସଂସାର ବେଳାରେ ପର୍ଯ୍ୟଟକଟିଏ ମୁଁ
ସଂସାର ବେଳାରେ ପର୍ଯ୍ୟଟକଟିଏ ମୁଁ
ଦେଖେ ସବୁ ବିସ୍ତାରିତ ନେତ୍ରେ
ଅନୁସନ୍ଧାନ କରି ତନ୍ନ ତନ୍ନ
ମନକୁ କରି ନିମଗ୍ନ
ପଲକର ପୁଲକରେ ସ୍ବପ୍ନ ଯେତେ
ନିମିଷକର ନିଶାରେ ଆଶା ଆକାଂକ୍ଷା
ହୁଏ ସବୁ ନିଃଶୂନ ଏକାକାର
ଗଢା଼ ହୁଏ କାମନାର ବାଲୁକାରେ
ବାଲିଘର କେତେ କେତେ
ସମୟର ମହାସ୍ରୋତ
ପ୍ରବଳ ବେଗରେ ଢେଉ ନେଇ ମାଡି଼ ଆସେ
ଧୋଇ ନେଇ ସବୁ କରେ ନିଃଚିହ୍ନ
ଭାଙ୍ଗିପଡେ ଜୀବନର ଦାମ୍ଭିକତା ଯେତେ
ଘାତ ପ୍ରତିଘାତର ଆଘାତେ
ବାହୁନି ହୁଏ ଖାଲି ମର୍ମାହତେ
ସ୍ଵାର୍ଥର ଅଠାରେ ସଂପର୍କ ଏଠି ବନ୍ଧାହୁଏ
ଭାବ ବିନିମୟରେ ମତଲବୀ
ଭେଦାଭେଦ ହୃଦୟ ଭେଦି
ବଢା଼ଉଥାଏ ବିଷାଦ
କ୍ଳାନ୍ତ ବିବଶ ଅଙ୍ଗ ପ୍ରତ୍ୟଙ୍ଗ
ଇନ୍ଦ୍ରିୟ ସବୁ ବିଶୃଙ୍ଖଳିତ ଉନ୍ମାଦେ
ପଥେ ଚାଲୁ ଚାଲୁ ହୋଇ ପଥହରା
ରହିଯାଏ ଲକ୍ଷ୍ୟ ଅଧୁରା
ପବନର ଶବ୍ଦ ଶୁଭେ କେବଳ ସୁଉଁ ସୁଉଁ
ସଂସାର ବେଳାର ପର୍ଯ୍ୟକଟିଏ ମୁଁ
ଭବ ସାଗର ଅସାର
ମିଛ ମାୟା ମୋହର କୁହୁଡି଼ ସ୍ତର ସ୍ତର
ଅନାୟାସେ ଲୁଚାଇ ଦିଏ
ପ୍ରତିଷ୍ଠା ପ୍ରତିପତ୍ତିର ଯେତେ ଅହଂକାର
ତା' ପାଖରେ ନାହିଁ ଜୋର
ମଥା ନୁଆଁଇ ଦିଏ ସେ ସମସ୍ତଙ୍କର
ବେଳାରେ ବସି ଦେଖୁଥାଏ
ଯେତେ ଦୃଶ୍ୟ ହୁଏ ପୁଣି ଅଦୃଶ୍ୟ
ଲାଗେ ଅଦ୍ଭୁତ ସୃଷ୍ଟିର ଏ କି ବିଚିତ୍ରତା...
ଗୁରୁ ଗମ୍ଭୀରର ଶବ୍ଦରେ ମାଡି ଆସୁଥିବା
ଅସଂଖ୍ୟ ଢେଉ ସବୁ
ବେଳାଭୂମିରେ ମୁଣ୍ଡ ପିଟି କୁହନ୍ତି
ସବୁ ପର୍ଯ୍ୟଟକଙ୍କୁ ବିନୟେ
ହେ ପ୍ରିୟ ! ପର୍ଯ୍ୟଟକଗଣ
ହୁଅ ନାହିଁ ବ୍ୟସ୍ତ ବିବ୍ରତରେ ବ୍ୟାକୁଳ
ତୁମେ ତ କୂଳେ ଅଛ
କୂଳ କିନାରା ହରାଅ କାହିଁକି...
ଦେଖ ଥରେ ନିର୍ବିକାର ମନେ ବିଚାରି
ମୋ ଆସିବା ଯିବା ପରି
ତୁମର ବି କିଛି ନାହିଁ ଆୟତ୍ତରେ
ତେବେ କାହିଁକି ଏ ଜିଦି ଅଝଟପଣ
ମୁଠାଇ ଧରିବାକୁ ସାରା ଜଗତ
କର ବୃଥା ଅପଚେଷ୍ଟା....
ଦେଖୁଛ ଯଦିଓ ସବୁ ଉଭାନ ହୁଏ ଛୁଉଁ ଛୁଉଁ
ସଂସାର ବେଳାର ପର୍ଯ୍ୟଟକଟିଏ ମୁଁ।