ସଂପର୍କ
ସଂପର୍କ
ଉଷା ଆସେ ପ୍ରାଚୀ କାନ୍ଥେ ଯେବେ ଢଳି ଢଳି
ସଂପର୍କର ସୁଅ ଛୁଟେ ସ୍ନେହ ପ୍ରେମ ବୋଳି ।
ବିବିଧ ଭାବନା ଯୁକ୍ତ ଏଇ ମନ ପ୍ରାଣ
ତହିଁରେ ଯେ ବିକସିତ ସଂପର୍କ ବନ୍ଧନ ।
ବାତ୍ସଲ୍ୟ ମମତା ଡୋରି ଲଗାଇ ସନ୍ତାନେ
ବୁକେ ଧରି ମାତା ତୃପ୍ତ ହୃଦୟ ସ୍ପନ୍ଦନେ ।
ଜନକ ଶାସନ ତଳେ ଯେ ସ୍ନେହ ଗୋପନ
ଭବିଷ୍ୟ ସଜାଡି ନିଏ ସଂପର୍କର ଦାନ ।
ଦାରୁଣ ଖେଦ ଉପୁଜେ ଯେବେ ଭଗ୍ନୀ ହୃଦେ
ସାନ୍ତ୍ଵନା ଦେଇଣ ଭାଇ ବୋଲଇ ଯେ ପଦେ ।
ସଂପର୍କ ବିହୁନେ କାହିଁ ଲଭିବା ଯେ ତୃପ୍ତି
ପରକେ ଆପଣା କରେ ବାଢି କେତେ ସ୍ମୃତି ।
ଅତି ସୂକ୍ଷ୍ମ ଢାଗା ଏହି ସଂପର୍କର ଖିଅ
ସନ୍ଦେହ କଲେ ନିମିଷେ ଲିଭେ ତା'ର ମୋହ ।
ଅଭିନୟ କର ନାହିଁ ସଂବନ୍ଧ ଗଠନେ
ବିଶ୍ଵାସେ ବନ୍ଧା ଜୀବନ ଭାବି ନିଅ ମନେ ।
ସୂରୁଜ ବିନା ଦିବସ ଯେହ୍ନେ ମୂଲ୍ୟହୀନ
ଯେସନେ ରଜନୀ ବିନା ଚନ୍ଦ୍ରମା ଶ୍ରୀହୀନ ।
ସେହି ରୂପେ ଅପୂର୍ବ ଏ ସଂପର୍କର ଉତ୍ସ
ସଯତ୍ନେ ସଜାଡି ରଖ ଭାବ ନାହିଁ ତୁଛ ।
ଜଳ ବିନା ମୀନ ପ୍ରାଣ ଯେହ୍ନେ ବଞ୍ଚି ଥାଇ
ଶୁଷ୍କ ନଦୀ ଦେଖି ଯେହ୍ନେ ନଉକା ଝୁରଇ ।
ଏପରି ଭାବ ସଂପର୍କ ଯେ ଜନ ନଜାଣେ
ଗୃହ ତା ଶୋଭିତ ହୁଏ ଶ୍ମଶାନ ସମାନେ ।
ସଂପର୍କର ମଧୁରତା ବୁଝେ ଯେ ମନୁଷ୍ୟ
ଭାଗ୍ୟ ତା ଉଜ୍ଜଳ ଦିଶେ ଆସେନା ବିରସ ।