ସଂଜ୍ଞା ସଞ୍ଜୀବନୀ
ସଂଜ୍ଞା ସଞ୍ଜୀବନୀ
ମୋ' କାବ୍ୟକାହାଣୀ ସାରସ୍ୱତ ବାଣୀ
ସଙ୍ଗୀତ ସୁର ସାମ୍ରାଜ୍ଞୀ,
ତା' ସୁର ଲହରୀ ଆଶାର ଶର୍ବରୀ
ସାମ୍ପ୍ରତିକ ସମଭାଗୀ !
ନୟନେ ନମ୍ରତା କୋଳେ ନିର୍ଲିପ୍ତତା
ପ୍ରାଣରେ ପୁଣ୍ୟ ପ୍ରାଚୁର୍ଯ୍ୟ ,
ସହାସ୍ୟ ବଦନେ ଅତି ସନ୍ତର୍ପଣେ
ସଂସ୍କାରିଥାଏ ସାମ୍ରାଜ୍ୟ ।
ସଞ୍ଜ ସକାଳର ସୃଜନ ସାରଣୀ
ଋତୁରେ ଋତୁରେ ରାଣୀ,
ପ୍ରଣୟ ବେଳାର ପାର୍ବଣ ପ୍ରତିମା
ପ୍ରତିଭା ପ୍ରାଙ୍ଗଣ ବାଣୀ !
ଫଗୁଣ ପ୍ରହର ଫଲ୍ଗୁ ପଲ୍ଲବିନୀ
ବସନ୍ତ ଅଙ୍କ ବାସନ୍ତୀ ,
ଶ୍ରାବଣ ସନ୍ଧ୍ୟାର ସ୍ୱର୍ଣ୍ଣ ସୀମନ୍ତୀନି
ବର୍ଷା ଭିଜା ଦିବ୍ୟ କାନ୍ତି ।
କାବ୍ୟ କାହାଣୀ ଗୋ ତୁମ କଳ୍ପନାରେ
ଦେବାବେଶ ଦେବାୟୁଧ ,
ସହସ୍ର ଶାଶ୍ୱତ ସଂଲଗ୍ନ ସାରଣୀ
ନିମିଷେ ହୁଏ ଉଦ୍ଭବ ।
ଅଳକାପୁରୀରେ ଆତଙ୍କ ଖେଳଇ
ତୁମ ଲାବଣ୍ୟ ଦର୍ଶନେ ,
ଲାବଣ୍ୟମୟୀ ଗୋ ସ୍ୱଳ୍ପ ସୁଗନ୍ଧ ବି
ସାର୍ଥକ ସୁରଭି ଆଣେ ।
ଶ୍ରୁତି ସୁଗନ୍ଧା ଗୋ ନୟନ ନିର୍ମାଣେ
ମୃଗରାଜ ପରାଜିତ ,
ମୃଗନୟନୀ ମୁଁ କହି ତ ପାରୁନି
ସଂଜ୍ଞାରେ ସ୍ୱଳ୍ପ ଶୋଭିତ ।
ସ୍ୱଳ୍ପ ସୁଭାଷିଣୀ କଳ୍ପ କଳ୍ପ ବାଣୀ
ପେନ୍ଥା ପେନ୍ଥା ହାର ହୋଇ,
ମୋ'ପରି ଶ୍ରୀହରା ହୃଦୟ ଗଳାରେ
ସୁଶୋଭିତା ଜ୍ୟୋତିର୍ମୟୀ ।
ସଂଜ୍ଞା ସଞ୍ଜୀବନୀ ଶବ୍ଦ ପ୍ରଦାୟିନୀ
ଶବ୍ଦ ସବୁ ଦିଅ ବୁଣି ,
ଶବ୍ଦରେ ଶବ୍ଦରେ ନିର୍ମାଣ କରିବି
କାବ୍ୟସୌଧର କାହାଣୀ ।
ସେଇ ମୋ' କାହାଣୀ ମୋ' ନିଜସ୍ୱ ନୁହେଁ
ମିଳିତ କଣ୍ଠର ସ୍ୱର ,
ସୃଜି ଚାଲିଥିବା ଗାଇ ଚାଲିଥିବା
ରାଗ ରାଗିଣୀ ଅମର ।
ସେଇ ରାଗିଣୀର ରଙ୍ଗ ତୂଳୀ ନେଇ
ସମ୍ପ୍ରତି ନିଶ୍ଚଳା ବକ୍ଷ ,
ରଙ୍ଗାଇଦେବା ଗୋ ମୃଦୁ ସଂସ୍କାରରେ
ସୌନ୍ଦର୍ଯ୍ୟବୋଧର ପକ୍ଷ !!!

