ସନେଟ
ସନେଟ
ଅଦିନ ମେଘ ଦେଇଥିଲି ତୋତେ ମୁଦ ଖୋଲା ମନ ଚିଠି
ଆସିଲୁ ଏମିତି ଭାବୁଛି କେମିତି ଚିଠି ମୋ ନ ଯାଉ ଫିଟି
ଗୁମର ଭରା ମୋ ପ୍ଲାବନର କ୍ଷେତ୍ର ଜଗିବସିଅଛି ତୋତେ
ମେଘ ଖଣ୍ଡ ତଳେ ଭୁଲିଯିବି କାଳେ ଲେଖିଥିଲି କଥା କେତେ ।
ରାତ୍ରିର ଭ୍ରମ ଭାଙ୍ଗିଦିଏ ଶ୍ରମ ଝରିଯାଏ ବ୍ୟଥା ହୋଇ
ଦରଜର କଥା କରଜ ନ ହେଉ ଆଖିପତା ଯାଏ ନଇଁ
ଯକ୍ଷ ପାତିଛି ବକ୍ଷ ତାହାର ଯକ୍ଷ ବଧୁ ଏକା ଏଠି
ଦୀର୍ଘଶ୍ଵାସ ରେ ବିରହ ବାର୍ତ୍ତା ଅଟକିଥିଲା ଯେ ସେଠି ।
ମେଘ ମେଦୁର ଆକାଶ ଆଖିର ବିରହ ବ୍ୟାକୁଳ ଗୀତିକା
ଯକ୍ଷିଣୀ ଓଠର କ୍ଲାନ୍ତ ତିଳଚିହ୍ନ ଅଶ୍ରୁଧାରେ ଲାଗେ ଫିକା
ନ ଆଣି ପାରିଲେ ଲେଉଟ ବାରତା ଛୁଇଁଦେଇ ଆସ ଥରେ
ପ୍ରିୟତମ ସ୍ପର୍ଶ ହରିଦେଵ କ୍ଳେଶ ବର୍ଷା ରେ ଭିଜିବା ପରେ ।
ଆଶା ନିରାଶାର ଲୁଚକାଳି ଖେଳ ଅପେକ୍ଷିତ ଲମ୍ବା ରାତି
ଅଦିନ ବର୍ଷା ରେ ଭାସି ଯାଉଅଛି ଯକ୍ଷ ବଧୁର ଚିଠି ।
