ସ୍ନାନ ଯାତ୍ରା
ସ୍ନାନ ଯାତ୍ରା
ଆହେ ଚକାଡୋଳା ଧନ୍ୟ ତୁମ୍ଭ ଲୀଳା
କରୁଅଛ କେତେ ନାଟ
ମାନବୀୟ ଧାରା କରୁଅଛ ପରା
ହୋଇ ଭକ୍ତ ଭାବେ ମତ୍ତ
ହେ କୃଷ୍ଣ କେଶବ ଜଗତ ବଲ୍ଲଭ
ପ୍ରବଳ ନିଦାଘ ତ୍ରାସେ
କଳା ପଡ଼ିଗଲା କଳା ଶ୍ରୀମୁଖ କି
ଖେଳିଳ ଚନ୍ଦନ ମାସେ
ସେତିକିରେ ତୃପ୍ତ ନୋହିବାରୁ ମନ
ଛାଡି ରତ୍ନ ସିଂହାସନ
ସ୍ନାନ ମଣ୍ଡପ କୁ ବିଜେ କରିଅଛ
ସଙ୍ଗେ ଘେନି ସୁଦର୍ଶନ
ବଳିୟାର ଭୁଜ ଦେବ ବଳଭଦ୍ର
ସଙ୍ଗେ ଭଗ୍ନୀ ଯୋଗମାୟା
ସ୍ନାନ ପାଇଁ ଆଜ ହୋଇଅଛ ସଜ
ଧୋଇବାକୁ ନିଜ କାୟା
ଦେଖି ତୁମ୍ଭ ମୁଖ ହେ କଳା ଶ୍ରୀମୁଖ
ଲାଗୁଛି କି ନବଘନ
ବରଷିଯିବ କି କରୁଣା ର ବାରି
ତୋଷ କରି ଭକ୍ତ ମନ
ହୋଇ ମଦମତ୍ତ ନିଶାରେ ଉନ୍ମୁତ୍ତ
ଆସୁଛି କି କୃଷ୍ଣ - ଗଜ
ଭକ୍ତି ଓ ପ୍ରେମର ରଜ୍ଜୁରେ ବାନ୍ଧିଛୁ
କାହିଁ ଯିବ ତୁମ୍ଭେ ଆଜ
ଶହେ ଆଠ ଗରା ଗାଧୋଇବ ପରା
କରିବାକୁ ତାପନାଶ
ଭାବଗ୍ରାହୀ ଆହେ ପ୍ରଭୁ ଅନ୍ତର୍ଯ୍ୟାମୀ
ଭକ୍ତ ଭାବେ ହୋଇ ବଶ
ପତିତ ଜନଙ୍କୁ ଦେବାକୁ ଦର୍ଶନ
ହେ ପ୍ରଭୁ ପୁରୁଷୋତ୍ତମ
ଛଳିଆ ଠାକୁର ଛଳରେ କରିଛ
ମହାସ୍ନାନ ଆୟୋଜନ
ଦ୍ଵାପର ଯୁଗରେ ଚୋରି କରୁଥିଲ
ତୁମ୍ଭେ ବସ୍ତ୍ର ଗୋପୀ ଙ୍କର
ସେଥିପାଇଁ ଅବା ଜଗତ ଦେଖୁଛି
ତୁମ୍ଭ ସ୍ନାନ ବଂଶୀଧର !!
ଗଣପତି ଭଟ୍ଟ ଗଜାନନ ଭକ୍ତ
ଆସିଥିଲେ ଏହି ଦିନ
ନ ଦେଖି ଗଣେଶ ଗଣନାଥ ବେଶ
ବିମୁଖ ବିରସ ମନ
ଗଜାନନ ବେଶ ହୁଅ ଜଗଦୀଶ
ରଖିବାକୁ ଭକ୍ତ ଟାଣ
ଭକତ ଭାବରେ ବନ୍ଧା ପଡିଥାଅ
ଭକତ ତୁମ୍ଭର ପ୍ରାଣ
ଶୁଭ ଜନ୍ମ ଦିନ ହେ ଚକାନୟନ
ଭକତ ଗୁହାରି ମାନ
ହୋଇଯିବ ଜ୍ଵର ପ୍ରଭୁ ଆଦିମୂଳ
କରନାହିଁ ଆଉ ସ୍ନାନ