ସମୟଟି ଯାଏ ବିତି
ସମୟଟି ଯାଏ ବିତି
ମାଆ ଯେବେ ଗାଈ ଦୁହିଁବାକୁ ଯାଏ
ମୁଁ ଦିଏ ବାଛୁରୀ ଧରି,
କୁନି ବାଛୁରୀ ମୋ ହାତ ଚାଟୁଥାଏ
ତା' ଜିଭରେ ଥିରିଥିରି ।
ଆମ ଗାଈ-'ଶ୍ରୀୟା' ଚାହିଁ ରହିଥାଏ
ଗୋଟିଏ ଲୟରେ ମୋତେ,
ତା' ଛୁଆକୁ ଗେଲ କରି ଦେଉଥିଲେ
ଖୁସି ହୁଏ ସିଏ କେତେ ।
ମୋ ମାଆ ପରା ଗାଈ ବାଛୁରୀଙ୍କ
ନିଇତି ଯତନ ନିଏ,
ଗୁହାଳକୁ ସଫା ସୁତର କରି ସେ
ଖାଇବାକୁ ତାଙ୍କୁ ଦିଏ ।
ଭଲ ପାଉ ଆମେ କ୍ଷୀର,ଦହି,ଛେନା-
ଘିଅ,ସର ଖାଇବାକୁ,
ଭାଇ ସଙ୍ଗେ କେବେ କଜିଆ ବି କରୁ
ବଡ଼ ଭାଗ ପାଇବାକୁ ।
ଶରଧାରେ ମାଆ ଆମରି ପାଇଁକି
ଦୁଧଭାତ ଦିଏ ନିତି,
ବାଛୁରୀ ସଙ୍ଗରେ କଉତୁକ କରି
ସମୟଟି ଯାଏ ବିତି ।
କୁନି ବାଛୁରୀଙ୍କୁ ଗେଲ କରି ଆମେ
ଦେଉ ପରା ପିଠା-ରୁଟି,
ବଡ଼ ଆନନ୍ଦରେ ଖାଇଦିଏ ସିଏ
ତା' ଲାଞ୍ଜକୁ ଛାଟି ଛାଟି ।
ରୋଗ ବାଧିକିରେ ଡାକ୍ତର ଦେଖାଇ
ତାଙ୍କ ସେବା କରୁ ଆମେ,
ଜାଣିଶୁଣି କେବେ ଅବହେଳା କରି
ଲାଗୁନାହିଁ ଅନ୍ୟ କାମେ ।
ଭାରି ଉପକାରୀ ପ୍ରାଣୀଟିଏ ପରା
ଅଟଇ ଯେଣୁ ଏ ଗୋରୁ,
ଆମ ପରିବାର ସଦସ୍ୟ ଭାବରେ
ତାକୁ ବି ଗଣନା କରୁ ।