ସମୟ ହେଲାଣି ଯିବି ମୁଁ ଛାଡି
ସମୟ ହେଲାଣି ଯିବି ମୁଁ ଛାଡି
ବିଶାଳ ଭୂଖଣ୍ଡ ଅଖଣ୍ଡ ଦ୍ବୀପରେ
କ୍ଷୁଦ୍ର ଅତିକ୍ଷୁଦ୍ର
ଜନ୍ମଜାତକ ମୋ' ଭାଗ୍ୟରରେଖା ।
ସେ ଭାଗ୍ୟରେଖାର ବୃନ୍ତ ଅନ୍ତରାଳେ
ନିୟତି ଖଞ୍ଜିଛି
ଜୀବନ ଭିତ୍ତିକ ମୋ' ଏକାଙ୍କିକା ।।
ଏକାଙ୍କିକାର ମୁଁ ନିଃସଙ୍ଗ ନାୟକ
ମୋ' ଅଙ୍କର ଦୃଶ୍ୟ
ପ୍ରଭାତେ ଆରମ୍ଭ ପ୍ରଦୋଷେ ଶେଷ ।
ଅନ୍ତଃସ୍ବର ମୋର ଶ୍ରେଷ୍ଠ ନିର୍ଦ୍ଦେଶକ
ତା' ନିର୍ଦ୍ଦେଶନାରେ
ଅଭିନୟ ପାଇଁ ପାଏ ପ୍ରଶ୍ୱାସ ।।
ପ୍ରଶ୍ୱାସ ଫର୍ଦ୍ଦର ପୃଷ୍ଠାରେ ପୃଷ୍ଠାରେ
ଆତ୍ମିକ ଚେତନା,
ଆତ୍ମାନୁଶୀଳନ,ପ୍ରେରଣା ଥାଏ ।
ପ୍ରେରଣା ପ୍ରାନ୍ତର ସୁଖ ଓ ଦୁଃଖର
ରମ୍ୟ ରୂପାନ୍ତର
କଙ୍କର କରୁଣ ରାଗିଣୀ ଗାଏ ।।
ମଞ୍ଚର ପୃଷ୍ଠରେ ପ୍ରଚ୍ଛଦେ ସଂଭାଗେ
ଆଦ୍ୟ,ମଧ୍ୟ,ପ୍ରାନ୍ତ
ମଞ୍ଚ ଶିଳ୍ପୀଙ୍କର ସର୍ବ ଇଙ୍ଗିତ ।
ସେଇ ମଞ୍ଚଶିଳ୍ପୀ ଆଉ କେହି ନୁହେଁ
ସୃଷ୍ଟି ବିଲୟର
ମହା ନିର୍ଦ୍ଦେଶକ,ସ୍ୱୟଂ ସମ୍ଭୂତ ।।
ପ୍ରାରମ୍ଭ ଦୃଶ୍ୟରେ ପ୍ରାରବ୍ଧ ପୃଷ୍ଠାରେ
ବାଲ୍ୟ ରସାମୃତେ
ଲୁବ୍ଧ ଜନନୀଙ୍କ ନୟନ ତାରା ।
ଅନ୍ତିମ ପୃଷ୍ଠାରେ ଏତେ ଆବିଳତା
ବିଷାଦ ଧୂସର
ଭୀଷ୍ମ ଶରଶଯ୍ୟା ବିକଳ୍ପ ଧାରା ।।
ଉତ୍ଥାନ ପତନ ଆଲୋକ ସମ୍ପାତେ
ତୁଙ୍ଗ ଅଭିନେତା
ସନନ୍ଦ ପତ୍ରର ପ୍ରାପ୍ତି ଆଶାରେ ।
ଅନିଚ୍ଛାରେ ବରଂ ଛଳନା ରଙ୍ଗରେ
ନିଜକୁ ସଜାଏ
ବାହ୍ୟ ଆଡମ୍ବର ଲଘୁ ପ୍ରକାରେ ।।
ସ୍ବର୍ଣ୍ଣାଭ ଜନମ ମଣିଷ ଜୀବନ
ସୁନା ହରିଣୀର
ପ୍ରାପ୍ତି ଲୋଭ ନେଇ ଧୂସର ହୁଏ ।
ଧୂସର ଧୂଳିର ପାଉଁଶ ଲେପନେ
ଏକାଙ୍କିକା ମଞ୍ଚ
ସ୍ତିମିତ ଅଲୋକେ ମଉଳି ଯାଏ ।।
ଶେଷ ଯବନିକା ଛଅ ଗଜ ଜମି
ରଙ୍ଗ ସ୍ୱାଦ ହୀନ
କଳୁଷ କଙ୍କର ମଟାଳ ମାଟି ।
ଜାଣିଛି ତଥାପି ଉନ୍ମତ୍ତ ଉନ୍ମାଦେ
ଭଙ୍ଗୁର କରୁଛି
ପାର୍ଥିବ ମଞ୍ଚର ଅଭିନୟଟି ।।
ରମ୍ୟ ରଙ୍ଗମଞ୍ଚ ରଙ୍ଗ ଅଭିନୟ
ସ୍ୱର୍ଣ୍ଣ ଏକାଙ୍କିକା
ସମୟ ହେଲାଣି ଯିବି ମୁଁ ଛାଡି ।
ଆସିଥିଲି ଏକା ଯିବି ଚାଲି ଏକା
ପ୍ରିୟଙ୍କ ହାତରେ
ମୋ' କୃତ କର୍ମର ସ୍ମୃତି ଅଜାଡି ।।
