ସମୁଦ୍ରେ ପ୍ରେମ
ସମୁଦ୍ରେ ପ୍ରେମ
ଜୀବନର ଆବଶ୍ୟକତା
ତା ନିକଟରେ ସାମାନ୍ୟ
ଯଦି କଥା ଥାଏ ସନ୍ତାନର
ଜୀବନର ଯାତ୍ରାରେ
ସେ ଯେ ବଳିଷ୍ଠ ଦାନୀ
ବଳି ପଡିଯିବେ ରାଜା ହରିଶ୍ଚନ୍ଦ୍ର, କର୍ଣ୍ଣ
ଯଦି କଥା ଥାଏ ସନ୍ତାନର
ସେ ଯେ ମାଆର ପଣତ ପରି
କଠୋର ଚଟାଣ ପରି
ଜୀବନପଥର ମାର୍ଗଦର୍ଶକ
ପ୍ରଥମ ଡାକରେ ଚିହ୍ନଇ
"ବାପା " ବୋଲି
ଦଶ ଟଙ୍କାର ଆବଶ୍ୟକତା
ପକେଟରେ ପାଇଲେ କୋଡିଏ ଟଙ୍କା
ଅଲଗା କିଛି ଖୁଚୁରା ବ୍ୟବହାର
ଜାଣିନେବ ବାପାଙ୍କ ପ୍ରେମ
ଲୁଚାଇ.... ନିଃଶବ୍ଦ ପ୍ରେମରେ ଗୁଡ଼ାଇ
ରଖି ଦିଅନ୍ତି ବାପା ଅଜଣା ହୋଇ
ଚାରିପାଖରେ
ପ୍ରତ୍ୟେକ ସମୟରେ
ଶୀତଳ ପ୍ରେମ, ସ୍ନେହର ଜହ୍ନ ଛାଇରେ
ବାପାଙ୍କ ଭିତରେ ନିଶ୍ୱାସ ନିଏ
ଗୋଟେ ମା ର ଆତ୍ମା
ଛୋଟ ଛୋଟ ଖୁସି ଆମର
ବଡ଼ ବଡ଼ ତ୍ୟାଗ ବାପାଙ୍କର
ପଥର କରି ନିଜର ଆଶା
ନିଜକୁ ଚଟାଣ କରି
ପଛରେ ଦଣ୍ଡାୟ ବିଶାଳ ଅସ୍ତ୍ର ପରି
କ୍ଷମତା ବାହାରେ ଯୁଦ୍ଧ ସେ ଲଢ଼ିଯାନ୍ତି
ବାପା ବୋଲି ସବୁ କଷ୍ଟ ପିଯାନ୍ତି
ଆମ ଖୁସିରେ ତାଙ୍କ ଖୁସି କୁହନ୍ତି
ଝୁଣ୍ଟି ପଡିଲେ ହାତ ବଢ଼ାଇ ସମ୍ଭାଳି ନିଅନ୍ତି
ନ ମାଗି ସବୁ ମିଳିଯାଏ
ସେ ମଉନେ ମଧ୍ୟ୍ୟ ସବୁ ବୁଝିଯାନ୍ତି
କଷ୍ଟ ଆମକୁ ହେଲେ
ଲୁହ ତାଙ୍କ ଆଖିରେ
ଭାଙ୍ଗି ନ ପଡେ
ତାକୁ ଭିନ୍ନ ଭିନ୍ନ ବାହାନାରେ
ପୋଛିଦିଅନ୍ତି
କାନ୍ଧରେ ହାତ ନ ପକାଇ
ସେ ଯେ ଜୀବନର ସବୁଠୁ ବଡ଼ ବନ୍ଧୁ
ଯେବେ ଦୁଃଖରେ କେହି ନ ଦିଅନ୍ତି ଧରା
ବୟସ ଯେତେ ହେଉ ବଙ୍କୁଲି ବାଡ଼ି ସହ
ଛିଡା ହୁଅନ୍ତି
ଜୀବନ୍ତ ଭଗବାନ ବାପା
ମହାସମୁଦ୍ର ପ୍ରେମ, ସ୍ନେହ, ଶ୍ରଦ୍ଧାର ବାପା
ଯାହାର ସ୍ରୋତ ପବିତ୍ର, ଅନବରତ
ଜୀବନର ମାର୍ଗଦର୍ଶକ ବାପା
ଯିଏ ସର୍ବଦା ଭେଟି ଦେଇଛନ୍ତି
ପ୍ରେମର
ଧୈର୍ଯ୍ୟର
ବିଶ୍ୱାସର
ସାହସର
ଧର୍ମର
ବିବେକର
ସବୁକୁ ନେଇ ଚାଲିବାର !!!
