ମୋ ଝିଅ
ମୋ ଝିଅ
ଯଦି ଆଖିରେ କିଛି ସାଉଁଟି ପାରନ୍ତି
ତେବେ ତୋ ଉଜ୍ୱଳ ମୁହଁକୁ
ସବୁଦିନ ଲାଗି ଭରିଦିଅନ୍ତି
ଏ ନୟନ ଯୋଡିକରେ !
ଯଦି ରଖିପାରନ୍ତି କିଛି ଗୁପ୍ତଧନ
ସେ ସିନ୍ଦୁକ ଭିତର ଫରୁଆ ଭିତରେ
ସାଇତି ଦିଅନ୍ତି ମଖମଲ କପଡା ଦେଇ
ତୋ ଖିଲି ଖିଲି ହସକୁ !
ଯଦି ରଖିପାରନ୍ତି କିଛି
ହୃଦୟର ସେ ନିବୁଜ କୋଣରେ
ଚୋରେଇ ନିଅନ୍ତି ତୋ କୁନି କୁନି
ଗେଲ ଭରା କେତେ କଥାକୁ !
ଯଦି ବାନ୍ଧି ପାରନ୍ତି ତୋ ଚପଳ ଦୁଷ୍ଟାମୀ ଗୁଡିକୁ
ବାନ୍ଧି ଦିଅନ୍ତି ମମତାର ଡୋରୀରେ !
ଯଦି ଥାନ୍ତେ ମୋ ହାତେ ସମୟ
ଘୋଡେଇ ଦିଅନ୍ତି ତୋତେ ମୋ ପଣତକାନିରେ !
ଯଦି ବାନ୍ଧି ପାରନ୍ତି ତୋ ସମ୍ପୂର୍ଣ ଅସ୍ତିତ୍ବ
ଜନମ ଜନମ ପ୍ରତିଟି ଜନମ ପାଇଁ
କୋଲପ ପକାଇଦିଅନ୍ତି ମାତୃତ୍ୱଭରା ଏ ଗର୍ଭରେ !
ତୁ ଉଡ଼ନ୍ତା ବିହଙ୍ଗଟିଏ
ଉଡିବାକୁ ତୋତେ ନାହିଁ ମନା
ସାରା ଆକାଶ ତୋର
ମାତୃତ୍ୱ, ପିତୃତ୍ୱ ନାମକ
ଦୁଇଟି ଡେଣା ନେଇ ତୁ ଗଢ଼ା !
ଝିଅ ତୁ ଅପୂର୍ଵ ସଂସ୍କାର ନେଇ ଗଢ଼ା
ସକାଳର ତୁ ପ୍ରଥମ କିରଣ
ସଞ୍ଜ ବେଳାର ସଞ୍ଜବତୀ ତୁ
ତୋରି ଶ୍ରୀ ଚରଣେ ପବିତ୍ର ମୋର ଅଗଣା ବେଢା
ତୁ ନଥିଲେ ମୋ ଅଗଣା ଲଷ୍ମୀଛଡା !
ତୋତେ ଦେଖିଲେ
କହିବାକୁ ଇଚ୍ଛା ହୁଏ ପୂରା ସମାଜକୁ
ଝିଅ ଅଟଇ ରତ୍ନଭରା
ଯେ କରେ ତାକୁ ଆଦର, ସମ୍ମାନ
ତାଘର ହୁଅଇ ସମାନ ଉଜ୍ୱଳ ତରା !