ପ୍ରଭୁ ଶ୍ରୀରାମ ଜନ୍ମ ବୃତ୍ତାନ୍ତ
ପ୍ରଭୁ ଶ୍ରୀରାମ ଜନ୍ମ ବୃତ୍ତାନ୍ତ
ଶୁଣ ସୁଜନେ ଦେଇ ମନ
ରାମଙ୍କ ଜନ୍ମ କଥା ମାନ ।
ନାମ ଯେ ଅଯୋଧ୍ୟା ନଗର
ଦଶରଥ ଯେ ନୃପବର ।
ପ୍ରଜା ପାଳନ୍ତି ଆନନ୍ଦ ରେ
ବିପଦ ନ ପଡେ ନଗରେ ।
ଦୁଃଖ ଯେ ଏକ ରାଜାଙ୍କର
ନଥାଏ ସନ୍ତାନ ତାଙ୍କର ।
ଋଷ୍ୟଶୃଙ୍ଗଙ୍କୁ ଯେ ଡକାଇ
ପୃତେଷ୍ଟି ଯଜ୍ଞ କୁ କରାଇ ।
ଯଜ୍ଞ ଉତ୍ତାରୁ ଚରୁ ନେଇ
ତିନି ରାଣୀ ଙ୍କୁ ବାଣ୍ଟି ଦେଇ ।
ଆନନ୍ଦେ କରି ସେ ସେବନ
ଚଳିଲେ ଅନେକ ଯେ ଦିନ ।
କିଛି ଦିନ ଯେ ବିତିଗଲା
ରାଣୀ ଯେ ଗର୍ଭବତୀ ହେଲା ।
ଏମନ୍ତ ଶୁଣି ଯେ ଖବର
ଆନନ୍ଦେ ନାଚିଲା ନଗର ।
ରାଜ ନଅର ସାରା ଖୁସି
ଆନନ୍ଦ ମନ୍ତ୍ରୀ ଠାରୁ ଦାସୀ ।
ପ୍ରଭୁ ଙ୍କ ପାଦ ଭକ୍ତି ଢାଳି
ବହୁ ଦିନ ଯେ ଗଲେ ଚଳି ।
ଏମନ୍ତ ବହୁ ଦିନ ଅନ୍ତେ
ଶ୍ରୀ ରାମ ଜନ୍ମିଲେ ଜଗତେ ।
କୌଶଲ୍ୟା ରାଣୀ ଙ୍କ ଗର୍ଭର
ଶ୍ରୀ ରାମ ହେଲେ ଯେ କୁମର ।
ସୁମିତ୍ରା ଗରଭୁ ଯେ ଯାତ
ଲକ୍ଷ୍ମଣ ଶତ୍ରୁଘ୍ନ ଯେ ସୁତ ।
ଭରତ ବୋଲି ସେ କୁମର
ଜନ୍ମିଲେ କୈକେୟୀ ଗର୍ଭର ।
ନଗର ସାରା ଯେ ଆନନ୍ଦ
ସଭିଙ୍କ ମନେ ମକରନ୍ଦ ।
ଉତ୍ସବ ରାଜାଙ୍କ ନଅର
ଆନନ୍ଦ ଭରିଛି କୁମର ।
ଶ୍ରେଷ୍ଠ କୁମର ପ୍ରଭୁ ରାମ
ନବମୀ ତିଥିରେ ଜନମ ।
ଚଇତ ମାସ ଶୁକ୍ଳପକ୍ଷ
ରାମ ନବମୀ ନାମେ ଡାକ ।
ଅତି ଦୟାଳୁ ସେ କୁମର
ପ୍ରିୟ ସେ ଅଟଇ ପ୍ରଜାର ।
ଗୁଣ ରେ କର୍ମ ରେ ବିନୟ
ମନରେ ନଥାଏ ଯେ ଭୟ ।
ସୁଖ ଦୁଃଖ ରେ ସଭିଙ୍କର
ରୁହନ୍ତି ପ୍ରଭୁ ରଘୁବୀର ।
ସୂର୍ଯ୍ୟ ବଂଶୀୟ ଗୁଣ ମାନ
କୁହନ୍ତି ମଧୁର ବଚନ ।
ପୁରୁଷୋତ୍ତମ ସେ ଅଟନ୍ତି
ଜଗତେ ରହିଅଛି ଖ୍ୟାତି ।
ରାମ ନାମ କୁ ଜପ କରି
ଭବ ସାଗରୁ ଯିବା ତରି ।
ମୁଁ ଦୀନ ହୀନ ଅଟେ ଜନ
ପ୍ରଣାମ ମୋର ପ୍ରଭୁ ଘେନ ।
