ସ୍ମୃତିରେ ଯାହାକୁ ଖୋଜେ
ସ୍ମୃତିରେ ଯାହାକୁ ଖୋଜେ
ସ୍ମୃତି ନଦୀ ତୀରେ ପ୍ରୀତି ଝରଣାରେ
ଉଛୁଳା ଭାବର ଧାରେ,
କାହିଁ ହଜିଗଲା ମଧୁମୟ ଦିନ
ସମୟର ଅନ୍ତସ୍ବରେ ।।
ସ୍ମୃତି ଶିହରଣ ମିଠା ଆଲୋଡନ
ଉନ୍ମାଦନା ପ୍ରାଣେ ଭରା,
ଭାବ ଆକର୍ଷଣ ବିମୋହିତ କରେ
ବିସ୍ମୃତି ଗର୍ଭର ହୀରା।।
ମେଘତ ଆସିବ ବରଷି ବି ଯିବ
ଚାଲିଯିବ ତାର ବାଟେ,
ସ୍ମୃତି ରହିଯିବ ଶିଉଳି ଲଗାଇ
ଏଇ ମନ ନଈ ତୁଠେ।।
ଅନ୍ତହୀନମୋର ପ୍ରତୀକ୍ଷାପ୍ରାଙ୍ଗଣେ
ମହାର୍ଘ୍ୟ ର ପ୍ରତିଶ୍ରୁତି,
ଅପାଶୋରା ସେଇ ନିଃଶବ୍ଦବେଳାର
ଅଭୁଲା, ଅଲିଭା ସ୍ମୃତି।।
ଦହନ ର ଜ୍ବାଳା ଯାଣିଛି ପତଙ୍ଗ
ଅନଳ କୁ ଭଲ ପାଇ,
ଯାଣେନା କାହିଁକି ତଥାପି ଝୁରୁଛି
ଯାତନା ଯନ୍ତ୍ରଣା ପାଇ।।
କୋହର ବାଦଲ ଲୁହହୋଇ ଝରେ
ହୃଦୟ ବେଳାଭୂମିରେ,
ବିବଶତା ନେଇ ଜଳୁଛି ଜୀବନ
ଯନ୍ତ୍ରଣା ର ଯଉଘରେ।।
ସ୍ମୃତି ଅନୁଭବ ଭରା ନଈ ଟିଏ
କେବେ ପୁଣି ମରୁଭୂମି,
କେବେସେ ଶ୍ରାବଣ କେବେସେ ଫଗୁଣ
ଆଷାଢ଼ ର ମଉସୁମୀ।।
ଭିଜା ଶ୍ରାବଣରେ ଶତଯୁଗ ତୃଷ୍ଣା
ଯାହା ପାଇଁ ମନ ଝୁରେ,
ପ୍ରୀତିର ମହକେ ପ୍ରତିଶ୍ରୁତି ଦିଏ
ସମ୍ପର୍କ ଠୁ ବହୁଦୂରେ।।
ବିଗତ ମୁହୂର୍ତ୍ତ ପ୍ରୀତିର ବିଶ୍ୱାସ
ଭରସାର ସେତୁ ବନ୍ଧ,
ହଜିଲା ଦିନକୁ ଖୋଜୁଥାଏ ମନ
ସ୍ମୃତି ବଞ୍ଚିବାର ଛନ୍ଦ।।
ଛୁଇଁ ମନବନ କିଛି ଅଭିମାନ
ଭାଙ୍ଗିଦେଇ ନିରବରେ,
ସମ୍ମାନ,ଶ୍ରଦ୍ଧାରେ ସିକ୍ତ ଭାବନାରେ
ରହେ ସ୍ମୃତିର ସହରେ।।

