ସ୍ମୃତି
ସ୍ମୃତି
ସ୍ମୃତି ଏବେ ଭେଟହେଲେ ଅଳ୍ପ ଅଳ୍ପ ମୁରୁକି ହସୁଛି ।
ଆଗ ପରି ଦିଶୁ ନାହିଁ କଅଁଳିଆ ଦେହ ତାର
ଧୋବ ସରସର
ହଳଦୀ ସିନ୍ଦୂର ମଖା ତା ପୃଷ୍ଠାରେ ଆଦିଅନ୍ତ
ପୁରୁଣା ଅକ୍ଷର
ଲିଭି ଲିଭି ଆସିଲାଣି ଭୋଟକାଳ ତାଳପତ୍ର
ଲିପିବଦ୍ଧ ପ୍ରଣବ ଓମ୍ କାର ।
ସ୍ମୃତି ରୂପ ଚିରନ୍ତନ ଚିହ୍ନବର୍ଣ୍ଣ ଅକ୍ଷର ଅକ୍ଷରା ;
ଲିପିରୂପେ ଖୋଦିତ ସେ ଶିଳାଖଣ୍ଡେ
ହୃଦୟ ଫଳକେ,
ବେଦ ଶାସ୍ତ୍ର ସୁସାହିତ୍ୟ ରଚନା ସଙ୍ଗମେ
ପୁସ୍ତକର ଶବ୍ଦ ବାକ୍ୟ କଥା ଗୀତ
ସଙ୍ଗୀତର ସୁମଧୁର ସ୍ୱରେ
ସ୍ମୃତି ନାମ ଅହରହ ଗୁଞ୍ଜେ ,
ଭାବିହୁଏ ଛୁଇଁହୁଏ ସ୍ମୃତିକୁ ବି
ନୂଆ ଏବେ ଉଦ୍ଭାବିତ ମୋବାଇଲ ଯନ୍ତ୍ରେ ,
ଲାଗେ ସ୍ମୃତି ହାତ ପାହାନ୍ତିରେ ।
ମୈ।ନ କିନ୍ତୁ ସ୍ମୃତି କିଛି କହେ ନାହିଁ ମୁହଁ ଖୋଲି
ଦୁର୍ବୋଧ୍ୟ ଲାଗଇ ଅର୍ଥ ତାର ନୀରବତା,
ବୋଧହୁଏ ଏତେ ତାର ସରସତା ସୁଲଭତା
ସକାରଣ ସାହଚର୍ଯ୍ୟ
ହେଉନାହିଁ ପୂର୍ଣ୍ଣକାମ ,
ରଙ୍ଗରସ ଗୁଣସାର ଏ ସ°ସାର
ନେଉଅଛି ଭିନ୍ନମୋଡ
ସନ୍ଦୀହାନ ଏ ଜୀବନ
ନୀତି ଓ ଆଦର୍ଶ ଠାରୁ କାହିଁକି ବା
ଯାଉଛି ଦୂରେଇ ,
ଯନ୍ତ୍ରଦାସ ହୋଇଲେ ମଣିଷ
ସ୍ମୃତି ନାମ ଅସ୍ତିତ୍ବର ମୂଲ୍ୟ କିଛି ପାରିବକି ରହି ?