ସ୍ମୃତି
ସ୍ମୃତି


ଜାଣେନା ମୁଁ
ଜୀବନର ବଡ ଦାଣ୍ଡଟିରେ
ଶରୀରର ନନ୍ଦିଘୋଷ ଚଢି
କେତେଦୂର ଆଗେଇଛି
ମୂହୁର୍ତ୍ତର ଦଉଡିକୁ ଭିଡି।
ଯେତେଦୂର ଆଗେଇଛି
ଧାବମାନ ହୋଇ
ଫୋପାଡି ଆସିଛି ଯେଉଁ
ସ୍ମୃତି କୃଷ୍ଣଚୂଡା,
ଶୀତଳ ଏ ହାତରେ ଦରାଣ୍ଡି
ଦେଖି ତୋଳେ ଗୋଧୂଳି ବାହୁଡା
ବାଲିଘର ଭାବି ଯେବେ
ଦୁଇପାଦ ଦଳି,
ଚାହିଁଥିଲି ଆକାଶକୁ
ପୂର୍ଣ୍ଣୀମା ଚାନ୍ଦରେ
ଭାବିଥିଲି ପାଶେ ମୋର
ମୋର କହି ଦିନେ
ନିଶ୍ଚେ ଧୀରେ ନେବି ଧରି।
ଆଉକିଛି ଦିଗହୂଡା
ଅଶାନ୍ତ ଏ ଝଡ।
ଫେରି ଚାହେଁ ,ଆଳସ୍ୟ ବଦନେ
ନିସଙ୍ଗ ସେ ଚକୋରକୁ
କରି ପୁଣି ସାଥୀ।
ଅତୀତର ଉଇଲଗା, ଅସ୍ପଷ୍ଟ
ଧୂଆଁ ଧୂଆଁ,ମୋର ପ୍ରିୟ ସ୍ମୃତି।
ପୂନର୍ବାର ଫେରିବି ମୁଁ
ନନ୍ଦିଘୋଷ ରଥ ବାହି
ଲେଉଟ ଯାତ୍ରାରେ
ସ୍ମୃତିମାନେ ଖେଳୁଥିବେ
ପଦ୍ମ ହୋଇ,ମାନସରୋବରେ
ଫୁଟି ତହିଁ ନାଚୂଥିବେ
ଗନ୍ତବ୍ୟ ପଥରେ,
ଆଉ ଯେତେ ଉଡୁଥିବେ
ବାଦଲକୁ ଛୁଇଁ
ଆକାଶ କୁ ମାଗିନେବି ବଦଳରେ
ଚୁମ୍ବନ ଟେ ଦେଇ।।